ରାଜଭବନ ଛାଡିବାକୁ ରାଜ୍ୟପାଳଙ୍କୁ ଧମକ...
ରାଜଭବନ ଛାଡିବାକୁ ରାଜ୍ୟପାଳଙ୍କୁ ଧମକ...
admin
Dec 4, 2019 - 06:00
Updated: Dec 4, 2019 - 06:00
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ରାଜଭବନକୁ ଡାଇନାମାଇଟରେ ଉଡ଼ାଇ ଦେବାକୁ ମିଳିଛି ଧମକଭରା ପତ୍ର। ଯଦି ୧୦ ଦିନ ଭିତରେ ରାଜ୍ୟପାଳ ରାଜଭବନ ନଛାଡ଼ନ୍ତି ତେବେ ରାଜଭବନକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦେଇଛି ଉଗ୍ରବାଦୀ ସଂଗଠନ ଟିଏସପିସି। ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟପାଳଙ୍କ ଉପର ସଚିବ ହେମନ୍ତ ରାଓ ଗୃହ ବିଭାଗକୁ ପତ୍ର ଲେଖିଛନ୍ତି। ଧମକ ମିଳିବା ପରେ ପୋଲିସ ସତର୍କ ରହିଛି। ଏହି ଚିଠି ଝାରଖଣ୍ଡର ଉଗ୍ରବାଦୀ ସଂଗଠନ ଟିଏସପିସି ପକ୍ଷରୁ ପଠାଯାଇଛି।
ସୂଚନା ମୁତାବକ ୟୁପିର ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ଉଦ୍ଦେଶ୍ୟରେ ଝାରଖଣ୍ଡର ନକ୍ସଲ ସଂଗଠନ ଟିଏସପିସି ପକ୍ଷରୁ ଧମକଭରା ଚିଠି ପଠାଇଛନ୍ତି। ଚିଠିରେ ଲେଖା ହୋଇଛି ଯେ, ଆପଣ ଯଦି ୧୦ ଦିନ ଭିତରେ ରାଜଭବନ ଛାଡ଼ି ନଯାଆନ୍ତି ତେବେ ଡିନାମାଇଟ୍ ଲଗାଇ ରାଜଭବନକୁ ଉଡ଼ାଇ ଦେବୁ।
ଗୃହ ବିଭାଗ ଡିଜିପି ଡିଜି ଇଣ୍ଟେଲିଜେନ୍ସ ଓ ଏଡିଜି ସିକ୍ୟୁରିଟିଙ୍କୁ ମାମଲାରେ ତୁରନ୍ତ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି। ଗୃହ ବିଭାଗ ଯାଞ୍ଚ ପରେ ବୁଧବାର ଭିତରେ ପୂରା ମାମଲାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଗୃହ ବିଭାଗ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କୁ ନଭେମ୍ବର ମାସରେ ଫୋନରେ ଧମକ ମିଳିଥିଲା। ରାଜ୍ୟ ସ୍ଥାପନା ଦିବସ ଅବସରରେ ଯେବେ ସମସ୍ତ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ଅଭିନନ୍ଦନ ଜଣାଉଥିଲେ, ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ଦୁଇ ଥର ଫୋନ କରି ହରିଦ୍ଵାରରେ ହର କି ପୌଡ଼ି ବମରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଫୋନ କରିଥିବା ବ୍ୟକ୍ତି ମାନସିକ ରୂପେ ଚାପଗ୍ରସ୍ତ ଥିବା ପରେ ଜଣା ପଡ଼ିଥିଲା। ତାଙ୍କର ଆଧାରକାର୍ଡ଼ ହୋଇ ପାରୁନଥିବାରୁ ସେ ଏମିତି ଧମକ ଦେଇଥିଲେ।