ରାଜଧାନୀରେ ବେଆଇନ୍ ପୋଷ୍ଟର : ଜରିମାନା ଆଦାୟ କଲା ବିଏମସି

ଭୁବନେଶ୍ବର: ରାଜଧାନୀରେ ଏଣେତେଣେ ପୋଷ୍ଟର ବ୍ୟାନର ମାରୁଥିଲେ ସାବଧାନ! ଦେବାକୁ ପଡ଼ିପାରେ ମୋଟା ଅଙ୍କର ଜରିମାନା। ଏଭଳି ବେଆଇନ୍ ଭାବେ ପୋଷ୍ଟର ଲଗାଉଥିବାରୁ ଘରୋଇ ଟିଭି ଚ୍ୟାନେଲ୍ ଜ଼ୀ ସାର୍ଥକ ଓ ଅପେରା ପାର୍ଟି ଯାତ୍ରାଶ୍ରୀ ବିଶ୍ୱ ଦରବାରକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମସି)।
ଏହାଛଡ଼ା ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆଗକୁ ମଧ୍ୟ ହୋଡିଂ କିମ୍ବା ପୋଷ୍ଟର ଲଗାଇଲେ ଜରିମାନା ଆଦାୟ କରାଯିବ ବୋଲି ଏଥିରେ ଜଣାଇ ଦିଆଯାଇଛି। ଭୁବନେଶ୍ବରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଏଭଳି ପୋଷ୍ଟର, ବ୍ୟାନର ଓ ହୋଡିଂ ନ ଲଗାଇବାକୁ ବି ବିଏମସି ତାଗିଦ କରିଛି।