ବିଜେପିରେ ସାମିଲ ହେଲେ ଅର୍କକେଶରୀ

ବିଜେପିରେ ସାମିଲ ହେଲେ ଅର୍କକେଶରୀ

ଭୁବନେଶ୍ୱର:  କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ଅର୍କକେଶରୀ ଦେଓ ଆନୁଷ୍ଠାନିକ ଭାବେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅର୍କଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ, ମଦନପୁର-ରାମପୁର ରାଜପରିବାର ସଦସ୍ୟ ସଂଯୁକ୍ତା ସିଂହଦେଓ ଓ ତନ୍ମୟ ପ୍ରସାଦ ସିଂହଦେଓ ନିଜର ନିଜର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବାପରେ କଳାହାଣ୍ଡିରେ ରାଜନୀତିକ ସମୀକରଣ ବଦଳିବାର ସମ୍ଭାବନା ସୃଷ୍ଟି ହୋଇଛି ।

 ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅର୍କକେଶରୀ ଓ ତାଙ୍କ ପତ୍ନୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଦନପୁର-ରାମପୁର ରାଜପରିବାରର ସଂଯୁକ୍ତା ସିଂହଦେଓ ଓ ତନ୍ମୟପ୍ରସାଦ ସିଂହଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହି ରାଜପରିବାର ସଦସ୍ୟମାନଙ୍କୁ ରାଜ୍ୟ କାର୍ୟ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲ ସ୍ୱାଗତ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଓ କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ଫୁଲ ଓ ଉତ୍ତରୀୟ ଦେଇ ଦଳରେ ସ୍ୱାଗତ କରିଥିଲେ ।