ଇରାନୀ ଛାଡ଼ିଲେ ବିଜେପି, ଅରୁଣ ଖୁସ୍‌

ଇରାନୀ ଛାଡ଼ିଲେ ବିଜେପି, ଅରୁଣ ଖୁସ୍‌

ଭୁବନେଶ୍ୱର : ଗତ କିଛିମାସ ଧରି ନୟାଗଡ଼ ବିଜେପି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲା  । ଦଳ ଭିତରେ ଅସନ୍ତୋଷ ବି କୁହୁଳିଥିଲା  । କିନ୍ତୁ ଏବେ ତାହା ବିସ୍ଫୋରକ ରୂପ ନେଇଛି  । ବିଜେପିକୁ ନୟାଗଡ଼ରେ ମଜବୁତ କରିଥିବା ଇରାନୀ ରାୟ ଓ ତାଙ୍କ ସ୍ୱାମୀ ଲାଲା ମନୋଜ ରାୟ ଦଳ ଛାଡ଼ିଛନ୍ତି  । ନୟାଗଡ଼ ରାଜନୀତିରେ ଏହା ହଟଚମଟ ସୃଷ୍ଟିକରିଛି  । ଏହାଦ୍ୱାରା ବିଧାୟକ ଅରୁଣ ସାହୁଙ୍କ ଶିବିର ଉତ୍ସାହିତ ହୋଇ ଯାଇଥିବାବେଳେ ସମ୍ବିତ ପାତ୍ରଙ୍କୁ ଝଟକା ଲାଗିଛି  ।

୨୦୦୦ରୁ ନୟାଗଡ଼ ପାଲଟିଛି ବିଜୁ ଜନତା ଦଳର ଗଡ଼  । ୨୦୦୪ରୁ ସେଠାରୁ ଅରୁଣ ସାହୁ ଲଗାତର ଜିତି ଆସୁଛନ୍ତି  । ତେବେ ୨୦୧୪ରେ କଂଗ୍ରେସ ଟିକେଟରେ ଲାଲା ମନୋଜ ରାୟ ନିର୍ବାଚନ ଲଢ଼ିଥିଲେ  । ପ୍ରତିକୂଳ ସ୍ଥିତିରେ ମଧ୍ୟ ସେ ୫୦ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇଥିଲେ  । ପରେ ଲାଲା ବିଜେପିରେ ଯୋଗଦେବା ସହ ତାଙ୍କ ପତ୍ନୀ ଇରାନୀ ରାୟ ୨୦୧୯ରେ ଦଳୀୟ ଟିକେଟ ପାଇଥିଲେ  । ନିର୍ବାଚନରେ ସେ ୬୬ ହଜାର ଭୋଟ ଭିଡ଼ିବାରେ ସଫଳ ହୋଇଥିଲେ  । ୨୦୧୪ରେ ବିଜେପି ଭୋଟ ସେଠାରେ ୭ ହଜାର ଥିବାବେଳେ ଇରାନୀ ଓ ଲାଲାଙ୍କ ପାଇଁ ତାହା ୬୬ ହଜାର ଟପି ପାରିଥିଲା  । ଅର୍ଥାତ ନୟାଗଡ଼ରେ ସେମାନଙ୍କର ଭଲ ଭୋଟ ବ୍ୟାଙ୍କ ରହିଛି ବୋଲି କୁହାଯାଇପାରିବ  । ୨୦୨୪ ପାଇଁ ଇରାନୀ ଅଙ୍କ କଷୁଥିବାବେଳେ ହଠାତ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସକ୍ରିୟ ହୋଇଯାଇଥିଲେ  । ଫଳରେ ନୟାଗଡ଼ ବିଜେପିରେ ଫାଟ ସୃଷ୍ଟି ହୋଇଥିଲା  । ରାଣୀ ଓ ଇରାନୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଶୀତଳଯୁଦ୍ଧ  । ଯାହାକୁ ନେଇ ପୁରୀ ସଂସଦୀୟ କ୍ଷେତ୍ରରେ ଲଢୁଥିବା ସମ୍ବିତ ପାତ୍ର ଅକଳରେ ପଡ଼ିଯାଇଥିଲେ  । ପ୍ରଥମେ ଉଭୟ ଇରାନୀ ଓ ରାଣୀଙ୍କ ଗୋଷ୍ଠୀଙ୍କୁ ଧରି ସମ୍ବିତ ନିଜର ସଂଗଠନ କରୁଥିଲେ  । କିନ୍ତ ସେ ପ୍ରତ୍ୟୁଷାଙ୍କ ଆଡ଼କୁ ଢଳୁଥିବାରୁ ଇରାନୀଙ୍କ ଗୋଷ୍ଠୀ ତାଙ୍କୁ ଜୋରଦାର ବିରୋଧ କରିଥିଲେ  । ବିଜେପିରେ ଫାଟ ବଢ଼ୁଥିବାରୁ ଅରୁଣଙ୍କ ଶିବିରରେ ଖୁସି ଖେଳିଯାଇଥିଲା  । ଚାରିଚାରି ଥର ସେ ଜିତି ସାରିଥିବାବେଳେ ପଂଚମ ଥର ବି ସହଜରେ ଜିତିପାରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।

ଏସବୁ ଅଙ୍କ ଭିତରେ ଇରାନୀ ଓ ଲାଲା କେଉଁ ଦଳକୁ ଯିବେ ତାହାକୁ ନେଇ ମାନସମନ୍ଥନ ଚାଲିଛି  । ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା ପରେ ଉଭୟ ନିଷ୍ପତି ନେବେବୋଲି ସେମାନେ କହିଛନ୍ତି  । ପୂର୍ବରୁ ଲାଲା କଂଗ୍ରେସରେ ଥିବାରୁ ପୁଣିଥରେ ଘରବାହୁଡ଼ା କରିପାରନ୍ତି ବୋଲି କୁହାଯାଉଛି  । ସେପଟେ ଅରୁଣ ମଧ୍ୟ ଅତୀତରେ ଲାଲାଙ୍କୁ ବିଜେଡ଼ିକୁ ନେଇ ଥଇଥାନ କରିବାକୁ ଯୋଜନା କରିଥିଲେ  । ନିର୍ବାଚନ ବିଗୁଲ ବାଜି ସାରିଥିବାବେଳେ ଖୁବଶୀଘ୍ର ଇରାନୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ଚର୍ଚ୍ଚା ହେଉଛି  । ତେବେ ଇରାନୀ ଦଳ ଛାଡ଼ିଥିବାରୁ ତାହା ସମ୍ବିତଙ୍କ ଭୋଟକୁ ପ୍ରଭାବିତ କରିବା ନିଶ୍ଚିତ  ।