ଏଠି ପାଣି ବିଷାକ୍ତ, ଛୁଇଁବା ବିପଦ : ବାର୍ବି ପୁଷ୍କରିଣୀ

ଏଠି ପାଣି ବିଷାକ୍ତ, ଛୁଇଁବା ବିପଦ : ବାର୍ବି ପୁଷ୍କରିଣୀ

ହାୱାଇର ମାଉଇ ପ୍ରଦେଶ ଅନ୍ତର୍ଗତ କିଲିଆ ଜାତୀୟ ବନ ସଂରକ୍ଷଣ ପ୍ରକଳ୍ପରେ ରହିଥିବା ଏକ ପୁଷ୍କରିଣୀର ରଙ୍ଗ ହଠାତ୍‌ ଗୋଲାପି ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାହା ସର୍ବଦା ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରୁଥିବା ‘ବାର୍ବି’ କଣ୍ଢେଇର ରଙ୍ଗ ପରି ଦିଶୁଥିିବାରୁ ସ୍ଥାନୀୟ ଲୋକେ ତାହାକୁ ‘ବାର୍ବି କଣ୍ଢେଇର ପୁଷ୍କରିଣୀ’ ଆଖ୍ୟା ଦେଇଛନ୍ତି। ମାତ୍ର ‘ବାର୍ବି’କୁ ଦେଖିଲେ ଯେପରି ଯେ କେହି ମଧ୍ୟ ଶ୍ରଦ୍ଧାରେ କୋଳେଇ ଧରିବାକୁ ଆଗ୍ରହ କରିଥା’ନ୍ତି, ଏହି ପୋଖରୀକୁ କିନ୍ତୁ ଛୁଇଁବା ଏବେ ମାରାତ୍ମକ ବୋଲି ସତର୍କ କରାଇ ଦିଆଯାଇଛି। ଏହି ପୋଖରୀର ଜଳର ରଙ୍ଗ ଏପରି ଗୋଲାପି ହେବା ପଛର କାରଣ ମରୁଡ଼ି ଓ କିଛି ଅଣୁଜୀବଙ୍କ ଉପସ୍ଥିତି ବୋଲି କୁହାଯାଉଛି। ଏହି କାରଣରୁ ଏହି ପାଣିକୁ ପିଇବା କି ଏପରିକି ଛୁଇଁବା ମଧ୍ୟ ହାନିକାରକ।

ପୂର୍ବରୁ ବର୍ଷସାରା ପୋଖରୀଟି ସ୍ବାଭାବିକ ଥିବା ବେଳେ ଗତ ୩୦ ତାରିଖରେ ତାହା ହଠାତ୍‌ ଏପରି ଗୋଲାପି ରଙ୍ଗ ଧାରଣ କରିଥିଲା ବୋଲି ଜଣେ ବନ୍ୟ ଅଧିକାରୀ କହିଛନ୍ତି। ବିଗତ ୭୦ ବର୍ଷ ଭିତରେ ପୋଖରୀରେ ଏ ପ୍ରକାର ପରିବର୍ତ୍ତନ କେହି ଦେଖିନଥିବା ସ୍ଥାନୀୟ ଲୋକେ କହିଛନ୍ତି। କୌଣସି ବିଷାକ୍ତ ଶୈବାଳ ପ୍ରଜାତିର ଉପସ୍ଥିତି ଯୋଗୁଁ ତାହା ଏପରି ହୋଇଥାଇପାରେ ବୋଲି ପ୍ରଥମେ ଅନୁମାନ କରାଯାଉଥିଲା। ମାତ୍ର ପରୀକ୍ଷା ନିରୀକ୍ଷା ପରେ ତାହା ଲୁଣି ଜଳରେ ରହୁଥିବା ଏକ ଏକକୋଷୀ ବୀଜାଣୁ ବୋଲି ହାୱାଇ ବିଶ୍ବବିଦ୍ୟାଳୟର ଉଦ୍ଭିଦବିଜ୍ଞାନୀମାନେ ସ୍ପଷ୍ଟ କରିଛନ୍ତି।

ସେଥି ଯୋଗୁଁ ଉକ୍ତ ପୋଖରୀର ପାଣିର ଲବଣତା ଏବେ ସମୁଦ୍ର ଜଳର ଲବଣତାର ଦୁଇଗୁଣ ହୋଇଯାଇଛି। ମାଇଉରେ ଦେଖାଦେଇଥିବା ମରୁଡ଼ି ଯୋଗୁଁ ଉକ୍ତ ପୋଖରୀର ଜଳ ଏପରି ଲବଣାକ୍ତ ହୋଇଥିବା ଜଣାଯାଇଛି। ଏଥି ସାଙ୍ଗକୁ ଗତ ଅଗଷ୍ଟ ମାସରେ ମାଉଇର ଲାହାନିଆ ଅରଣ୍ୟରେ ଦେଖାଦେଇଥିବା ଭୀଷଣ ବନାଗ୍ନି ଏହି ସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଛି। ତେବେ ବର୍ଷା ହେଲେ ଜଳର ଲବଣତା କମିବା ସହ ଗୋଲାପି ରଙ୍ଗ ମଧ୍ୟ ଧୀରେ ଧୀରେ ଉଭେଇ ଯିବ ବୋଲି ଆଶା କରାଯାଉଛି।