ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି : ଅଖି‌ଳେଶ ଯାଦବ

ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି : ଅଖି‌ଳେଶ ଯାଦବ

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ମଧ୍ୟ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଏନ୍‌କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଛି। ଡାକ୍ତରୀ ପରୀକ୍ଷା ଲାଗି ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ପୁଲିସ ଉପସ୍ଥିତିରେ ସେମାନଙ୍କୁ ହତ୍ୟା କରାଯାଇଛି।

ଏହି ଘଟଣା ପରେ ପ୍ରୟାଗରାଜରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୧୪୪ ଧାରା ଜାରି କରାଯାଇଛି। ଶନିବାର ରାତି ୧୦ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ପ୍ରୟାଗରାଜ ମେଡିକାଲ କଲେଜ ପରିସରରେ ସାମ୍ବାଦିକମାନେ ଅତିକ୍‌କୁ ପ୍ରଶ୍ନ କରୁଥିବା ବେଳେ ପୁଲିସ ବାହିନୀ ଉପସ୍ଥିତିରେ ୩ ଜଣ ସୁଟର ଗୁଳିମାରି ଅତିକ ଓ ତା’ ଭାଇକୁ ହତ୍ୟା କରିଛନ୍ତି। ସୁଟରମାନେ ସାମ୍ବାଦିକ ବେଶରେ ଆସି ଅଚାନକ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଗୁଳି ମାରିବା ପରେ ତିନି ସୁଟର ଜୟ ‌ଶ୍ରୀରାମ ଧ୍ବନୀ ଦେବା ସହିତ ହାତ ଟେକି ଆତ୍ମସମର୍ପଣ କରିଥିଲେ। ଏହାପରେ ପୁଲିସ ସେମାନଙ୍କୁ ବାକୁ କରିନେଇଥିଲା। ଗୁଳିକାଣ୍ଡରେ ଜଣେ ପୁଲିସ କର୍ମଚାରୀ ଓ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ୨ଟି ପିସ୍ତଲ ଜବତ ହୋଇଛି। ଏହି ଘଟଣା ପରେ ପ୍ରୟାଗରାଜରେ ୧୪୪ ଧାରା ଜାରି ହୋଇଛି। କିଛି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ପୁଲିସ ମହାନିର୍ଦ୍ଦେଶକ ଓ ଆଇନ ଶୃଙ୍ଖଳା ବିଭାଗର ଏଡିଜି ଯୋଗ ଦେଇ ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। ହସ୍ପିଟାଲ ପରିସରରେ ଅତିକ୍‌ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ସାମ୍ବାଦିକ ବେଶରେ ଥିବା ଜଣେ ସୁଟର ତା’ର କାନରେ ପିସ୍ତଲ ରଖି ପ୍ର‌ଥମ ଗୁଳି ଚଳାଇଥିଲା। ପୁଲିସ କିଛି ବୁଝିବା ପୂର୍ବରୁ ଅନ୍ୟ ସୁଟରମାନେ ଅତିକ ଓ ତା ଭାଇ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଦୁଇ ଭାଇ ଏଥିରେ ଟଳି ପଡ଼ିଥିଲେ। ଏହି ଘଟଣା ଉତ୍ତରପ୍ରଦେଶ ସମେତ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁଟରମାନେ ପ୍ରାୟ ୧୦ ରାଉଣ୍ଡ୍‌ ଗୁଳି ଚାଳନା କରିଛନ୍ତି। ଅତିକ ଓ ତା’ ଭାଇକୁ ଧୂମନଗଞ୍ଜ ଥାନାରୁ ମେଡିକାଲ ଯାଞ୍ଚ ପାଇଁ ଡାକ୍ତରଖାନା ନିଆଯାଇଥିଲା। ଯାଞ୍ଚ ପରେ ସେମାନଙ୍କୁ ହସ୍ପିଟାଲ ବାହାରକୁ ଅଣାଯିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ପ୍ରଶ୍ନ କରିଥିଲେ। ଏହି ସମୟରେ ସୁଟରମାନେ ସାମ୍ବାଦିକ ବେଶରେ ସମ୍ମୁଖଭାଗରେ ରହି ଅତିକ ଓ ଅସରଫକୁ ଟାର୍ଗେଟ କରିଥିଲେ।

ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖି‌ଳେଶ ଯାଦବ ଅତିକ ଓ ତା’ ଭାଇର ହତ୍ୟାକୁ କଡ଼ା ନିନ୍ଦା କରିବା ସହିତ ଯୋଗୀ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି ବୋଲି କହିଛନ୍ତି। ଉମେଶ ପାଲ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅତିକର ପୁଅ ଅସଦ ଓ ତା’ର ସହଯୋଗୀ ଗୁଲାମ ଦୁଇଦିନ ତଳେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ। ଉତ୍ତର ପ୍ରଦେଶରେ ପ୍ରାୟ ୪୦ ବର୍ଷ ଧରି ଅତିକ ଅହମଦ ଆତଙ୍କରାଜ ଚଳାଇଥିଲା। ତା’ ବିରୋଧରେ ଶତାଧିକ ମାମଲା ରହିଥିଲା। ଅତିକ ୨୦୦୪ରେ ସମାଜବାଦୀ ପାର୍ଟିରୁ ସାଂସଦ ନିର୍ବାଚିତ ହୋଇଥିଲା। ଏକାଧିକ ହତ୍ୟା, ଅପହରଣ, ଆକ୍ରମଣ, ପୋଡ଼ାଜଳା, ବଳପୂର୍ବକ ସଂପତ୍ତି ଅକ୍ତିଆର କରି ସାରା ରାଜ୍ୟରେ ଆତଙ୍କରାଜ ଚଳାଇଥିଲା। ୨୦୦୫ରେ ବହୁଜନ ସମାଜ ପାର୍ଟି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ଅଭିଯୁକ୍ତ ଥିବା ଅତିକ ଗତ ଫେବ୍ରୁଆରିରେ ଆଇନଜୀବୀ ଉମେଶ ପାଲଙ୍କୁ ହତ୍ୟା ଯୋଜନା ଗୁଜରାଟର ସାବରମତୀ ଜେଲରେ ରହି କରିଥିଲା। ଅତିକକୁ ଦ୍ବିତୀୟ ଥର ପାଇଁ ସାବରମତୀ ଜେଲ୍‌ରୁ ପ୍ରୟାଗରାଜକୁ ତଦନ୍ତ ପାଇଁ ଆଣିଥିଲା।