ଗଛ ଛାଇରେ ଠିଆ ହୋଇଥିବାବେଳେ ମାଡିଗଲା ବୋଲେରୋ ଗାଡି, ୨ ମୃତ
ଢେଙ୍କାନାଳ: ଭୋଜି ଖାଇସାରି ଘରକୁ ଫେରୁଥିଲେ। ଗଛ ଛାଇରେ ଖରା ଦାଉରୁ ରକ୍ଷାପାଇଁ ଠିଆ ହୋଇଥିବାବେଳେ ମାଡିଗଲା ବୋଲେରୋ ଗାଡି। ଏଥିରେ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପୃଥ୍ବୀରାଜ ସାହୁ (୧୫) ଓ ସୌମ୍ୟରଂଜନ କାଣ୍ଡି (୧୬)।
ସୂଚନା ଅନୁସାରେ ସୁରପ୍ରତାପପୁର ସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାପୀଠରେ ଚଳିତ ବର୍ଷ ମାଟ୍ରିକ୍ ପଢ଼ିସାରିଥିବା ୩୦ ଜଣ ଛାତ୍ରଛାତ୍ରୀ ଆଜି ଭୋଜି କରିବାକୁ ଯାଇଥିଲେ। ଯୁକ୍ତ ୨ରେ ନାମଲେଖାଇବା ପୂର୍ବରୁ ଭୋଜି ଆସରକୁ ଅଧିକ ସ୍ମରଣୀୟ କରିବାକୁ ସେମାନେ ଗାଁ ନିକଟରେ ଭୋଜି ଆୟୋଜନ କରିଥିଲେ। ଖାଇ ସାରି ଘରକୁ ଫେରୁଥିବା ବେଳେ ପ୍ରବଳ ଖରାରୁ ସାମାନ୍ୟ ଆଶ୍ବସ୍ତି ପାଇବା ପାଇଁ ପିଲମାନେ ଏକ ବନଦୁର୍ଗା ମନ୍ଦିର ନିକଟସ୍ଥ ବରଗଛ ଛାଇରେ ଛିଡ଼ା ହୋଇଥିଲେ।
ଏତିକି ବେଳେ ୫୩ ନମ୍ବର ଜାତୀୟ ରାଜପଥରୁ ଆସୁଥିବା ବୋଲେରୋଟି ଉଭୟଙ୍କୁ ଧକ୍କା ଦେଇଥିଲା। ଉଭୟେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଭୁବନ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।




admin 