ଅଭୟ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଆଟାଚ୍ କରିଛି ଇଡି
ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ୍ ଅଭୟ ପାଠକଙ୍କ ପୁଣି ୬୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଆଟାଚ୍ କରିଛି ଇଡି । ବାଜ୍ୟାପ୍ତି ସମ୍ପତ୍ତି ମଧ୍ୟରେ ରହିଛି ତାଙ୍କ ଘର, ଦାମୀ ଗାଡ଼ି ଓ ପ୍ଲଟ୍ । ପ୍ରିଭେନସନ୍ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମ୍ଏଲଏ) ମୁତାବକ ଶ୍ରୀ ପାଠକଙ୍କ ଆୟବହିର୍ଭୂତ ସମ୍ପତ୍ତି ଉପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଟାଚ୍ ସମ୍ପତ୍ତିକୁ ଶ୍ରୀ ପାଠକ ବ୍ୟବହାର କରିପାରିବେ, କିନ୍ତୁ ତାକୁ ବିକ୍ରି କିମ୍ୱା ହସ୍ତାନ୍ତର କରିପାରିବେ ନାହିଁ ବୋଲି ସୂଚନା ମିଳିଛି ।
ଓଡ଼ିଶା କ୍ୟାଡର ଆଇଏଫଏସ୍ ଅଧିକାରୀ ଶ୍ରୀ ପାଠକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲା । ରାଜ୍ୟରେ ବୃକ୍ଷରୋପଣ ଓ ବନୀକରଣ କାର୍ୟ୍ୟକ୍ରମରେ ସେ କୋଟି କୋଟି ଟଙ୍କା ଦୁର୍ନୀତି କରିଥିଲେ । ତା’ପୁଣି ତାଙ୍କ ଭାବୀ ସମୁଦି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗରେ । ଖାଲି ସେତିକି ନୁହେଁ, ତାଙ୍କ ପୁଅ ଅଭୟ ପାଠକ ମଧ୍ୟ ଟାଟାରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ । ୨୦୨୦ ନଭେମ୍ୱର ୨୭ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିଥିଲା । ଜବତ ସମ୍ପତ୍ତି ମଧ୍ୟରୁ ୪୩୫% ସମ୍ପତ୍ତି ଥିଲା ଆୟ ବହିର୍ଭୂତ ।
ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ୨୦୨୧ ମେ’ ମାସରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ୨୦୨୨ ଜାନୁଆରୀରେ ଇଡି ନିଜ ଆଡୁ ମାମଲା ରୁଜୁ କରି ଆରମ୍ଭ କରିଥିଲା ତଦନ୍ତ । ଏହି ସମୟରେ ଅନେକ ଥର ତାଙ୍କୁ ଓ ତାଙ୍କ ପୁଅଙ୍କୁ ଡାକି ଜେରା ମଧ୍ୟ କରିଥିଲେ । ଗତ ଜାନୁଆରୀ ମାସରେ ଆକାଶଙ୍କୁ ଇଡି ଜେରା କରିଥିବା ସହ ୭୨ ଲକ୍ଷ ଟଙ୍କାର ବିଏମ୍ଡବ୍ଲ୍ୟୁ କାର୍ ଜବତ କରିଥିଲା । ୨୦୨୨ରେ ଇଡି ଶ୍ରୀ ପାଠକଙ୍କର ୨୯.୮୩ ଲକ୍ଷ ଟଙ୍କା ସମ୍ପତ୍ତିକୁ ଆଟାଚ୍ କରିଥିଲା ।




admin 