ସାହାରାର ୨୫ ହଜାର କୋଟି ଯିବ କେନ୍ଦ୍ର ଖାତାକୁ
ନୂଆଦିଲ୍ଲୀ: ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ସାହାରା-ସେବି ଖାତାରେ ପଡ଼ିରହିଥିବା ୨୫,୧୬୩ କୋଟି ଟଙ୍କା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେହି ଟଙ୍କାକୁ କେନ୍ଦ୍ର ସରକାର ‘ସଂଗଠିତ ପାଣ୍ଠି’ରେ ଜମା କରିବା ଉପରେ ବିଚାର କରୁଛନ୍ତି। ଏନେଇ କ’ଣ ଆଇନଗତ ବ୍ୟବସ୍ଥା ରହିଛି ତାହା ଜାଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ନିବେଶକଙ୍କୁ ଟଙ୍କା ଫେରସ୍ତ ବ୍ୟବସ୍ଥା ୧୧ ବର୍ଷ ପୂର୍ବରୁ ଆରମ୍ଭ ହୋଇ ସୁଦ୍ଧା ଅଳ୍ପ କିଛି ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଅବଶିଷ୍ଟ ଟଙ୍କା ସେବି-ସାହାରା ଖାତାରେ ପଡ଼ିରହିଛି।
ସେବି ପକ୍ଷରୁ ବାରମ୍ବାର ବିଜ୍ଞାପନ ଜରିଆରେ ନିବେଶକମାନଙ୍କୁ ସୂଚିତ କରାଯିବା ସତ୍ତ୍ବେ ବିଶେଷ ଦାବି ଆସୁନାହିଁ। ଏହି ମାମଲାର ବିଚାର ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ଏକାଧିକ ଉଦ୍ୟମ କରିବା ପରେ ମଧ୍ୟ ନିବେଶକମାନଙ୍କୁ ସବୁ ଟଙ୍କା ଫେରସ୍ତ କରାଯାଇପାରିବ ନାହିଁ ତେବେ ସେହି ଟଙ୍କାକୁ ଭାରତ ସରକାରଙ୍କୁ ହସ୍ତାନ୍ତର କରାଯିବ। ତାହାକୁ ନଜରରେ ରଖି ଏବେ ସାହାରା ପାଣ୍ଠିକୁ ଭାରତ ସରକାରଙ୍କ ସଂଗଠିତ ପାଣ୍ଠିରେ ଜମା କରିବା ବିକଳ୍ପ ଉପରେ ବିଚାର କରାଯାଉଛି। ତେବେ ଏହି ଟଙ୍କାକୁ ଅଲଗା ଭାବେ ରଖାଯିବ।
ଦରକାର ପଡ଼ିଲେ ସେଥିରୁ ଟଙ୍କା ବାହାର କରି ନିବେଶକଙ୍କୁ ଫେରସ୍ତ କରାଯିବ। ବଳକା ଟଙ୍କାକୁ ଗରିବଙ୍କ କଲ୍ୟାଣ, କଲ୍ୟାଣମୂଳକ କାଯ୍ୟକ୍ରମ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଲାଗି ବ୍ୟବହାର କରାଯିବ। ଗତ ୧୧ ବର୍ଷ ଭିତରେ ସାହାରା ଜମାକାରୀଙ୍କ ୧୭,୫୨୬ ଆବେଦନ ବାବଦରେ ୧୩୮ କୋଟି ଟଙ୍କା ଫେରସ୍ତ କରାଯାଇଛି। ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ ବ୍ୟୟ ବଢ଼ାଇ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରୁଥିବା କେନ୍ଦ୍ର ସରକାରଙ୍କ ପାଇଁ ସାହାରା ଟଙ୍କା ବିଶେଷ ଲାଭଦାୟକ ହେବ।




admin 