ରଜପାନର ମଜା ନିଆରା
ରଜ ଆସିଲେ ଜମି ଉଠେ ପାନ ବଜାର । ପ୍ରତିବର୍ଷ ରଜରେ ବଜାରକୁ ଆସିଥାଏ ବିଭିନ୍ନ କିସମର ପାନ । ଦୋକାନୀମାନେ ପାଖାପାଖି ଶହେରୁ ଅଧିକ ମସଲା ଦେଇ ସ୍ୱାଦିଷ୍ଟ ପାନ ପ୍ରସ୍ତୁତ କରିଥାନ୍ତି । ଯାହାର ଚାହିଦା ଖୁବ୍ ବେଶୀ ରହିଥାଏ । ଯେମିତି ସଜବାଜ ହେବା,ପୋଡପିଠା ଖାଇବା ଆଉ ଦୋଳି ଖେଳିବା ରଜ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଠିକ୍ ସେହିଭଳି ପାନଖିଆ ବି ଗଣପର୍ବର ଏକ ଅବିଚ୍ଛିନ୍ନ ଅଙ୍ଗ । ଏହିଦିନରେ ଝିଅମାନେ ପାନ ଖାଇବା ଥୟ ହୋଇଥାଏ । ରଜର ମିଠାପାନକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । ବର୍ତ୍ତମାନର ଆଧୁନିକ ସମୟରେ ରଜର ମିଠା ପାନ ପରିବର୍ତ୍ତେ ଅନେକ ପ୍ରକାରର ପାନ ପ୍ରସ୍ତୁତ କରିଯାଇ ବିକ୍ରି କରୁଛନ୍ତିି ଦୋକାନୀ । ହ୍ୱାଇଟ୍ ଚକଲେଟ୍ ପାନ, ଡାର୍କ ଚକଲେଟ୍ ପାନ, ମ୍ୟାଙ୍ଗୋ ପାନ ଏମିତିକି ଗୁପ୍ଚୁପ୍ ପାନ, ପାଇନ୍ଆପଲ ପାନ, ଲଡୁ ପାନ, ଆୟୁର୍ବେଦିକ ପାନ, ମହାରାଜା ପାନ, ଶତରଙ୍ଗୀ ପାନ ସହ ଫାୟାର ପାନ ବି ମିଳିଲାଣି । ଯାହାର ମୂଲ୍ୟ ସାଧାରଣ ପାନଠାରୁ ଅଧିକ ରହିଛି । ଏପରିକି ଗୋଟ ଗୋଟେ ପାନର ମୂଲ୍ୟ ୧୦୦ରୁ ଆରମ୍ଭ ହୋଇ ୫ହଜାର ପର୍ଯ୍ୟନ୍ତ ରହିଛି । ମୁଖ୍ୟତଃ ପାନ ଦୋକାନୀମାନେ ଏହି ରଜ ପର୍ବ ପାଇଁ ସ୍ୱତନ୍ତ୍ର ଭାବରେ ବନାରସ ଓ କୋଲକାତାରୁ ପାନ ଆଣିଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ମିଠାପାନ ବିନା ରଜରେ ମଜା ଫିକା ପଡିଯାଏ ।