ଭୁବନେଶ୍ୱର, ତା. ୧୪.୦୬ ରିଖ : ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ପ୍ରଶ୍ନପତ୍ର ଲିକ୍ର ପ୍ରମାଣ ନାହିଁ ବୋଲି କହିବା ଦୁର୍ଭାଗ୍ୟଜନକ । ଏହି ସାଂଘାତିକ ସ୍କାମ୍ ସଂପର୍କରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ମୁହଁ ଖୋଲି ନଥିଲେ ଏବଂ ପ୍ରଥମ କରି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସରକାରଙ୍କର ଅସଲ ଚେହେରାକୁ ପଦାକୁ ଆଣିଛନ୍ତି । ପ୍ରଶ୍ନପତ୍ର ଲିକ୍କୁ ମୋଦୀ ସରକାର ଗୁରୁତ୍ୱର ସହ ନିଅନ୍ତି ନାହିଁ । ନିଟ୍ ପରୀକ୍ଷାରେ ସ୍ୱଚ୍ଛତା ବାଧାପ୍ରାପ୍ତ ହୋଇଛି ବୋଲି ମାନ୍ୟବର ସୁପ୍ରିମ୍ କୋର୍ଟ କହିସାରିଛନ୍ତି । ଏ କଥା ବୋଧେ ମନ୍ତ୍ରୀ ଜାଣିନାହାନ୍ତି ।
ମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ ଏଥିରେ ମୋଦୀ ସରକାରର ସଂପୂର୍ଣ୍ଣ ସଂପୃକ୍ତି ରହିଛି । କାରଣ ସତ୍ୟର ଉଦ୍ଘାଟନ ନ କରି ଏହି ସ୍କାମ୍କୁ ଘଂଟ ଘୋଡାଇ ଦେବା ପାଇଁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବକ୍ତବ୍ୟ ଦେଇଛନ୍ତି ବୋଲି ସୟଦ ୟାସିର ନୱାଜ କହିଛନ୍ତି । ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ ନିଟ୍ ପରୀକ୍ଷା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଦାବୀ କରିଛନ୍ତି । ହେଲେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏନ୍.ଟି.ଏ ସଂପର୍କରେ ଯୁକ୍ତି ବାଢ଼ିବା ତାଙ୍କର ସାଧୁତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀ ପ୍ରଧାନ ତାଙ୍କର ବକ୍ତବ୍ୟରେ ଏ ଦେଶର ମେଧାବୀ ଛାତ୍ର ଛାତ୍ରୀଙ୍କ ବିରୋଧାଚରଣ କରିଛନ୍ତି ।
ନିଟ ସ୍କାମ ଏ ରାଷ୍ଟ୍ରର ଛାତ୍ର ସମାଜ ପାଇଁ ଏକ ସାଂଘାତିକ ବିଶ୍ୱାସଘାତକତା । ଏ ସଂପୂର୍ଣ୍ଣ ଦୁର୍ନୀତିରେ ଏନଟିଏ ସଂପୃକ୍ତ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ବାହାରେ ପ୍ରଘଟ କରିବାର ପ୍ରମାଣ ରହିଛି । ଏହା ଦ୍ୱାରା ୨୪ଲକ୍ଷ ପରୀକ୍ଷାର୍ଥିଙ୍କର ଭବିଷ୍ୟତ ସହ ଖେଳାଯାଇଛି । ଜୁନମାସ ୧୪ ତାରିଖରେ ଫଳାଫଳ ବାହାରିବା କଥା ମାତ୍ର ଯେଉଁଦିନ ସାଧାରଣ ନିର୍ବାଚନ ଅର୍ଥାତ ୧୦ ଦିନ ପୂର୍ବରୁ ନିଟ ପରୀକ୍ଷାର ଫଳାଫଳ ପ୍ରକାଶ କରାଗଲା । ଏହା ମଧ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟାନ୍ୱିତ କରିଛି । କିପରି ସମସ୍ତଙ୍କ ଦୃଷ୍ଟିରୁ ଏହି ଫଳାଫଳ ଏଡ଼େଇଯିବ ସେଥିପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି । ୬୭ ଜଣ ଛାତ୍ରଙ୍କୁ ପୂର୍ଣ୍ଣସଂଖ୍ୟା ୭୨୦ ନମ୍ବର ଦିଆଯାଇଛି । ନିଟ ପରୀକ୍ଷାର ମୂଲ୍ୟାୟନ ଯେଉଁ ପ୍ରକ୍ରିୟାରେ ହୁଏ ସେହି ପ୍ରକ୍ରିୟାରେ ଜଣେ ପରୀକ୍ଷାର୍ଥି ୭୧୮ କିମ୍ବା ୭୧୯ ନମ୍ବର ପାଇପାରିବ ନାହିଁ । ତେଣୁ କିଭଳି ଭାବେ ପରୀକ୍ଷାର୍ଥିଙ୍କୁ ୭୧୮ ଓ ୭୧୯ ନମ୍ବର ଦିଆଯାଇଛି । ଗୋଟିଏ ପରୀକ୍ଷା କେନ୍ଦ୍ରରେ ଅଧିକାଂଶ ପରୀକ୍ଷାର୍ଥି ଟପର ଲିଷ୍ଟରେ ରହିଛନ୍ତି । କେତେକ କେନ୍ଦ୍ରରେ ପରୀକ୍ଷାର୍ଥିଙ୍କୁ ଭୁଲ ପ୍ରଶ୍ନ ବଂଟନ କରାଯାଇଛି । ପ୍ରଦେଶ ଛାତ୍ର କଂଗ୍ରେସ ଏହି ଘଟଣାରେ ବିଚାରବିଭାଗୀୟ ତଦନ୍ତ ଦାବି କରିବା ସହ ନିଟ ୟୁଜି-୨୦୨୪ ପୁନଃ ପରୀକ୍ଷା କରିବାକୁ ଦାବି କରୁଛି । ସୁତରାଂ ଶ୍ରୀ ପ୍ରଧାନ ତାଙ୍କର ବକ୍ତବ୍ୟକୁ ପ୍ରତ୍ୟାହାର କରିବା ସହ ଦୁର୍ନୀତିର ପର୍ଦାଫାସ କରି ଦୋଷିକୁ ଦଣ୍ଡ ଦେବାର ବ୍ୟବସ୍ଥା କରିବାକୁ ଶ୍ରୀ ନୱାଜ ଦାବୀ କରିଛନ୍ତି । ଏ ଦେଶର ନିରୀହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ମନ୍ତ୍ରୀ ପ୍ରଧାନ ନ ଖେଳିବା ପାଇଁ ସୟଦ ୟାସିର ନୱାଜ କହିଛନ୍ତି ।