ମଣିପୁରରୁ ଆରମ୍ଭ ହେଲା ରାହୁଲଙ୍କ ଭାରତ ଯୋଡେ଼ା ନ୍ୟାୟ ଯାତ୍ରା

ମଣିପୁରରୁ ଆରମ୍ଭ ହେଲା ରାହୁଲଙ୍କ ଭାରତ ଯୋଡେ଼ା ନ୍ୟାୟ ଯାତ୍ରା

ଇମ୍ଫାଲ : ମଣିପୁରରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡେ଼ା ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଥୋବୁଲ ଜିଲ୍ଲାର ଖୋଙ୍ଗଜୋମ ୱାର ମେମୋରିଆଲରୁ ଏହି ଯାତ୍ରା ଆରମ୍ଭ ହୋଇଛି । ୧୧୦ ଜିଲ୍ଲାର ୧୧୦ ଲୋକସଭା ଓ ୩୩୭ ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଏହି ନ୍ୟାୟ ଯାତ୍ରା ଚାଲିବ । ମାର୍ଚ୍ଚ ୨୦ରେ ମୁମ୍ବାଇ ଠାରେ ଯାତ୍ରା ଶେଷ ହେବ । ମୋଟ ଉପରେ ୬୭୧୩ କିଲୋମିଟର ଅତିକ୍ରମ କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଭାରତ ଯୋଡେ଼ା ଯାତ୍ରା ବେଳେ ରାହୁଲ ଗାନ୍ଧୀ ପାଦରେ ଚାଲିଚାଲି ୩ ହଜାର କିଲୋମିଟର ଅତିକ୍ରମ କରିଥିଲେ । କନ୍ୟାକୁମାରୀ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ସେ ଯାତ୍ରା କରିଥିଲେ । ଏବେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଭାରତ ଯୋଡେ଼ା ନ୍ୟାୟ ଯାତ୍ରା ଆରମ୍ଭ ହୋଇଯାଇଛି । ତେବେ ଏଥର ରାହୁଲ ଓ ଅନ୍ୟ କଂଗ୍ରେସ ନେତାମାନେ ବସରେ ଯାତ୍ରା କରିବେ ।

କଂଗ୍ରେସ ପ୍ରଥମେ ଇମ୍ଫାଲର ପ୍ୟାଲେସ ଗ୍ରାଉଣ୍ଡରୁ ଏହି ଯାତ୍ରା ଆରମ୍ଭ କରିବାକୁ ଯୋଜନା କରିଥିଲା । କିନ୍ତୁ ବିଜେପି ନେତୃତ୍ୱାଧିନ ଏନ ବିରେନ ସିଂହ ସରକାର କଟକଣା ଜାରି କରିବାରୁ ଏହାକୁ ବେସରକାରୀ ଗ୍ରାଉଣ୍ଡକୁ ସ୍ଥାନାନ୍ତର କରାଯାଇଥିଲା । ମଣିପୁର ସରକାରଙ୍କ କଟକଣା ଅନୁଯାୟୀ, ଏହି ଯାତ୍ରାର ଶୁଭାରମ୍ଭ ୧ ଘଂଟା ମଧ୍ୟରେ ସାରିବାକୁ ପଡ଼ିବ ଓ ୩ ହଜାରରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହାଛଡ଼ା ଅଣଜାତୀୟତାବାଦୀ ଓ ସାମ୍ପ୍ରଦାୟିକ ସ୍ଲୋଗାନ ଦେବା ଉପରେ ବି କଟକଣା ଲାଗିଥିଲା । 

ଯାତ୍ରାର ଶୁଭାରମ୍ଭ କରି ରାହୁଲ ଗାନ୍ଧୀ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଭାଷଣ ଦେବା ବେଳେ ସେ ମଣିପୁର ସରକାରଙ୍କ ଉପରେ ଖୁବ ଜୋରରେ ବର୍ଷିଥିଲେ । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅନ୍ୟାୟ ବିରୋଧରେ ଏହି ଯାତ୍ରା କରାଯାଉଛି । ବିଭିନ୍ନ ବର୍ଗର ଲୋକମାନେ କି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ବୁଝିବା ହେଉଛି ଏହି ଯାତ୍ରାର ଉଦ୍ଦେଶ୍ୟ । ଆମେ ଯାତ୍ରା ବେଳେ ଆମ ମନର କଥା କହିବୁ ନାହିଁ, ଲୋକଙ୍କ ମନର କଥା ଶୁଣିବୁ । ଭ୍ରାତୃତ୍ୱ ଓ ସଦଭାବ ପ୍ରତିଷ୍ଠା ପାଇଁ ଆମେ ବାର୍ତା ଦେବୁ ବୋଲି ରାହୁଲ କହିଛନ୍ତି ।