ଏ ଗଉରା ଆଜିକାଲି କ’ଣ ଖାଉଚୁ’ ରୁ ଲୋକଲୋଚନକୁ ଆସିଥିଲେ ପିଂଟୁ

ଏ ଗଉରା ଆଜିକାଲି କ’ଣ ଖାଉଚୁ’ ରୁ ଲୋକଲୋଚନକୁ ଆସିଥିଲେ ପିଂଟୁ

ଭୁବନେଶ୍ୱର: ଅକାଳରେ ଚାଲିଗଲେ ପିଣ୍ଟୁ ନନ୍ଦ। ଅଭିନୟର ବିଭିନ୍ନ ରଙ୍ଗ ପରଶି ଓଡ଼ିଆ ଦର୍ଶକଙ୍କ ମନମୋହୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରେ ସମାପ୍ତ ହୋଇଛି। ଜୀବନ ନାଟକରେ ଯବନିକା ପଡ଼ିଛି ତାଙ୍କ ଭୂମିକାର। କିଛି ମାସ ହେବ ଲିଭର ସିରୋସିସ୍ ଭଳି ଦୂରାରୋଗ୍ୟ ବ୍ୟାଧି ସହ ଲଢ଼ୁଥିବା ପିଣ୍ଟୁ, ଶେଷରେ ହାରି ଯାଇଛନ୍ତି। ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ପିଂଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ନିଜର ନିଆରା ଠାଣି ପାଇଁ ଚର୍ଚିତ ପିଂଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ।

ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଟେଲି ଫିଲ୍ମ ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ପିଣ୍ଟୁ । ୧୯୯୬ରେ ‘କୋଇଲି’ ଫିଲ୍ମ ଜରିଆରେ ପିଣ୍ଟୁ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ସବୁ ଭୂମିକାରେ ଅଭିନୟ କରିଛନ୍ତି । ୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ଓଡ଼ିଆ ଆଲବମ ‘ଏ ଗଉରା ଆଜିକାଲି କ’ଣ ଖାଉଚୁ’ ଓ ରାଣ୍ଡି ପୁଅ ଅନନ୍ତାରୁ ଲୋକଲୋଚନକୁ ଆସିଥିଲେ ପିଂଟୁ ।

ସେହିପରି ଜୟ ଜଗନ୍ନାଥ ଚଳଚିତ୍ରରେ ବଳଭଦ୍ର ଭୂମିକାରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଂଟିଥିଲେ । ‘ମା’ ଗୋଜବାୟାଣୀ’, ‘ବାହୁଡିବେ ମୋ ଜଗାବଳିଆ’, ‘ସାଥୀରେ’, ‘ରଖିବ ଯଦି ସେ ମାରିବ କିଏ’, ‘ଓ ମାଇଁ ଲଭ୍’, ‘ରକତେ ଲେଖିଛି ନା’, କାଳୀଶଙ୍କର ଭଳି ଫିଲ୍ମରେ ନିଜ କଳାର ଯାଦୁ ଦେଖାଇଥିଲେ ପିଂଟୁ । ସେହିପରି ପିଂଟୁ ୨୦୦୬ରେ ‘ପ୍ରେମ ଋତୁ ଆସିଲାରେ’ ୨୦୧୧ରେ ‘ଦୋସ୍ତି’, ୨୦୧୩ରେ ‘ହାତ ଧରି ଚାଲୁଥା’, ୨୦୧୭ରେ ‘ରୁମକୁ ଝୁମାନା’, ୨୦୧୭ରେ ‘କଥା ଦେଲି ମଥା ଛୁଇଁ’ ଓ ୨୦୨୨ରେ ‘ରଙ୍ଗ ନମ୍ବର’ ଭଳି ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୨୦୨୨ରେ ‘ରଙ୍ଗ ନମ୍ବର’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଏଥିସହ ସେ ଓଡ଼ିଆ ଧାରାବାହିକ ‘ଶଙ୍ଖାସିନ୍ଦୁର’ରେ ମଧ୍ୟ ଅଭିନୟ କରିଥିଲେ । ‘ଗୃହଲକ୍ଷ୍ମୀ’ ଭଳି କିଛି ଦୂରଦର୍ଶନ କାର୍ୟ୍ୟକ୍ରମର ଉପସ୍ଥାପକ ଭାବେ କାର୍ୟ୍ୟ କରିଥିଲେ ପିଂଟୁ ।