କ୍ୟାବିନେଟ : ନିର୍ମାଣ ହେବ ୮୬୬ ନୂଆ ସେତୁ

କ୍ୟାବିନେଟ : ନିର୍ମାଣ ହେବ ୮୬୬ ନୂଆ ସେତୁ

ଭୁବନେଶ୍ୱର : ବିଜୁ ସେତୁ ଯୋଜନାରେ ରାଜ୍ୟରେ ଆଉ ୮୬୬ଟି ନୂଆ ସେତୁ ନିର୍ମାଣ କରାଯିବ । ୨୦୨୫-୨୬ ପର୍ଯ୍ୟନ୍ତ ବିଜୁ ସେତୁ ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ନୂଆ ସେତୁ ସହ ବର୍ତମାନ ଚାଲୁଥିବା ସେତୁଗୁଡ଼ିକୁ ସମ୍ପୂର୍ଣ୍ଣ କରାଯିବ । ଏଥିପାଇଁ ଅତିରିକ୍ତ ୩୫୯୭ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ଲକ୍ଷ୍ୟ ରଖାଯାଇଛି  । ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  । 

ତିନି ବର୍ଷ ମଧ୍ୟରେ ଆରଡ଼ିଏସଏସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି  । ଏହି ଯୋଜନାର ପ୍ରକଳ୍ପ ମୂଲ୍ୟ ୬୨୮୪ କୋଟି ଟଙ୍କା ଥିବାବେଳେ ରାଜ୍ୟ ସରକାରଙ୍କ ଅଂଶ ୨୩୪୨ କୋଟି ଟଙ୍କା ରହିଛି  । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ୪୨୮ କୋଟି, ବାତ୍ୟା ନିରୋଧୀ ଭିତିଭୂମି ପାଇଁ ୪୨୪୮ କୋଟି ତଥା ବିତରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ସକାଶେ ୧୫୦୯ କୋଟିର ପ୍ରାବଧାନ ରହିଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ସହ ବିତରଣ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ।