ଓଡିଶାରେ ଏହି ସ୍ଥାନରେ ପ୍ରଚାର କରିବେ ମୋଦି

ଓଡିଶାରେ ଏହି ସ୍ଥାନରେ ପ୍ରଚାର କରିବେ ମୋଦି


ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ଏହାକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ପ୍ରସ୍ତୁତିରେ ଲାଗିପଡିଛି । ଲୋକସଭା ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ୨୦୧୯ ନିର୍ବାଚନରେ ବିଜେପି  ହାରିଥିବା ୧୬୦ଟି ଲୋକସଭା ଆସନ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ସେହି ନିର୍ବାଚନ ମଣ୍ଡଳୀଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ରୁ ଅଧିକ ମେଗା ରାଲି କରିବେ । ଏଥିପାଇଁ ଦଳର ଜାତୀୟ ସଭାପତି ଜେପି ନଡ୍ଡ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବାବେଳେ ରାଲି ଗୁଡିକର ପ୍ରସ୍ତୁତି ପାଇଁ ବିଜେପିର ୩ ଜାତୀୟ ସାଧାରଣ ସଚିବ ସୁନୀଲ ବଂଶଲ, ବିନୋଦ ତାୱେଡ ଏବଂ ତରୁଣ ଚୁଘଙ୍କୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର ୧୩ ସ୍ଥାନରେ ମୋଦି, ଅମିତ ଶାହା ଓ ଜେପି ନ୍‌ଡ଼ା ବିଶାଳ ସମାବେଶ କରିବେ  ।

୨୦୧୯ରେ ଓଡ଼ିଶାରେ ପ୍ରଭାବୀ ପ୍ରଦର୍ଶନ କରିଥିଲା ବିଜେପି  । ୨୦୦୯ ଓ ୨୦୧୪ ତୁଳନାରେ ଦଳକୁ ମିଳିଥିଲା ଆଶାତୀତ ସଫଳତା  । ବିଧାନସଭା ନିର୍ବାଚନରେ ଦଳ ସେଭଳି ସଫଳ ହୋଇନଥିଲେବି ୮ ଲୋକସଭା ସାଂସଦ ଜିଣିପାରିଥିଲେ । ଓଡ଼ିଶାରେ ମୋଦିଙ୍କ କ୍ରେଜ ଥିବାରୁ  ସାଂସଦ ପ୍ରାର୍ଥୀଙ୍କ ବିଜୟ ସହଜ ହୋଇଥିଲା  । ଏବେବି ରାଜ୍ୟରେ ମୋଦିଙ୍କ କ୍ରେଜ ଥିବା ସର୍ଭେରୁ ଜଣାପଡ଼ିଛି  । ଏହାକୁ ଆଖିଆଗରେ ରଖି ୨୦୧୯ରେ ଦଳ ହାରିଥିବା ୧୩ଟି ସ୍ଥାନରେ ବଡ଼ ସମାବେଶ କରିବାକୁ ବିଜେପି ଯୋଜନା କରିଛି  । କେନ୍ଦୁଝରରେ ବିଜୁ ଜନତା ଦଳର ଚନ୍ଦ୍ରାଣୀ ମୁର୍ମୂ ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ୬୬ହଜାର ଭୋଟରେ ହରାଇଥିଲେ । ଭଦ୍ରକରେ ବିଜେପିକୁ ୨୮ହଜାର ଭୋଟରେ ହରାଇ ଥିଲା ବିଜେଡି । ସେହିପରି ବିଜୁ ଜନତା ଦଳ ଯାଜପୁରରେ ଲକ୍ଷେ ଭୋଟ, ଢେଙ୍କାନାଳରେ ୩୫ହଜାର ଭୋଟ, କନ୍ଧମାଳରେ ଲକ୍ଷେ ଭୋଟ, କଟକରେ ଲକ୍ଷେ ଭୋଟ, କେନ୍ଦ୍ରାପଡାରେ ଦେଢଲକ୍ଷରୁ ଉଦ୍ଧ୍ୱର୍ ଭୋଟ, ଜଗତସିଂହପୁରରେ ଅଢେଇ ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ବିଜେପିକୁ ହରାଇଥିଲା । ସେହିପରି  ପୁରୀରେ ୧୧ହଜାର ଭୋଟ, ଆସ୍କାରେ ୨ଲକ୍ଷ ଭୋଟ, ବ୍ରହ୍ମପୁରରେ ୯୪ ହଜାର ଭୋଟରେ ବିଜେଡି ବାଜିମାତ କରିଥିଲା । ତେଣୁ ଓଡିଶାର ଏହିସବୁ ସ୍ଥାନରେ ମୋଦି, ଶାହା ଓ ଜେପି ନଡା ବଡ଼ ସମାବେଶ କରିବେ  । ବିଶେଷକରି କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ ଓ ପୁରୀରେ ଦଳ କମ ଭୋଟରେ ହାରିଥିବାରୁ ଏହିସବୁୁ ସ୍ଥାନ ଉପରେ ବିଜେପି ଗୁରୁତ୍ୱ ଦେବ । 

ବିଜେପି ହାରିଥିବା ଲୋକସଭା ଆସନ ଗୁଡିକୁ ବିଭିନ୍ନ କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତିଟି ବିଭାଗରେ ୮୦ଆସନ ରହୁଛି । ପ୍ରଥମେ ୮୦ ଆସନରେ ନଡ୍ଡା ର‍୍ୟାଲି କରିବେ ଏବଂ ଅନ୍ୟ ୮୦ ଆସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ର‍୍ୟାଲି ଓ ବୈଠକ କରିବେ । ଏଥିପାଇଁ ଗତଥର ହାରିଥିବା ୧୬୦ ଆସନରେ ଏଥର ବିଜେପି ସପକ୍ଷରେ ଭଲ ଭୋଟ ମିଳିବ ବୋଲି ଦଳ ବିଶ୍ୱାସ ରଖିଛି । ୨୦୧୯  ଲୋକସଭା ନିର୍ବାଚନରେ ବିଜେପି ୩୦୩ ଆସନରେ ଜିତିଥିଲା । ୨୦୨୪ରେ ୪୦୦ରୁ ଅଧିକ ଆସନରେ ଜିତିବା ନେଇ ଦଳ ଲକ୍ଷ୍ୟ ରଖିଛି । ତେବେ ମୋଦିଙ୍କ ର‍୍ୟାଲି କେତେ ପ୍ରଭାବ ପକାଉଛି? ଲଗାତର ତୃତୀୟ ଥର ପାଇଁ ୨୦୨୪ ଲୋକସଭାରେ ବିଜେପି କ୍ଷମତାକୁ ଫେରି ପାରୁଛି କି ନାହିଁ, ତା’ର ଉତ୍ତର ସମୟ ହିଁ ଦେବ ।