ଆମ ନିର୍ବାଚନମଣ୍ଡଳୀ : ଖଲିକୋଟ
ଖଲିକୋଟ ବ୍ଲକ, ପୁରୁଷୋତ୍ତମପୁର ବ୍ଲକର ୧୫ ଗ୍ରାମ ପଂଚାୟତ, ଖଲିକୋଟ ଏନଏସି ଓ ପୁରୁଷୋତ୍ତମପୁର ଏନଏସିକୁ ନେଇ ଖଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ଏବେ ଏହି ଆସନଟି ଏସସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରଥମ ସାଧାରଣ ନିର୍ବାଚନ ବେଳକୁ ଏହି ଆସନଟି ଅଣସଂରକ୍ଷିତ ରହିଥିଲା । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିଣିଥିଲେ । ୧୯୫୭ରେ ନାରାୟଣ ସାହୁ ବିଧାୟକ ହେବାର ସୁଯୋଗ ପାଇଥିଲେ । ୧୯୬୧ ବେଳକୁ ରାମଚନ୍ଦ୍ର ମର୍ଦ୍ଦରାଜ ଦେବ କଂଗ୍ରେସରେ ସାମିଲ ହୋଇଯାଇଥିଲେ । ତେଣୁ କଂଗ୍ରେସ ଟିକେଟରେ ସେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାୟକ ହେବାର ବର୍ଷକ ପରେ ତାଙ୍କର ପରଲୋକ ହୋଇଯିବାରୁ ଖଲିକୋଟରେ ପ୍ରଥମ ଥର ପାଇଁ ଉପନିର୍ବାଚନ ହୋଇଥିଲା ।
ଏହି ଉପନିର୍ବାଚନରୁ ରାଜ୍ୟ ରାଜନୀତିର ଆଉ ଏକ ସଫଳ ଅଧ୍ୟାୟର ଆରମ୍ଭ ହୋଇଥିଲା । କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ ଭି. ସୁଜ୍ଞାନ କୁମାରୀ ଦେଓ । ସୁଜ୍ଞାନଙ୍କ ବାପା ହେଉଛନ୍ତି ରାଜା ଆରଭିଏମ ନୀଳାଦ୍ରି ରାଓ । ମାତ୍ର ୨୫ ବର୍ଷ ବୟସରେ ସେ ବିଧାୟିକା ହୋଇଥିଲେ । ଏହାପରେ ସୁଜ୍ଞାନ ବହୁବାର ବିଧାନସଭାକୁ ଯାଇଛନ୍ତି । ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ରେ ସେ ମଧ୍ୟ ନିର୍ବାଚିତ ହୋଇଥିଲେ । ଖଲିକୋଟରୁ ସେ ୮ ଥର ବିଜୟୀ ହୋଇଥିଲେ । କିନ୍ତୁ ୨୦୦୯ ବେଳକୁ ଖଲିକୋଟ ଆସନଟି ସଂରକ୍ଷିତ ହୋଇଯିବାରୁ ସୁଜ୍ଞାନ କବିସୂର୍ଯ୍ୟନଗରରୁ ନିର୍ବାଚନ ଲଢ଼ିଥିଲେ । ୨୦୦୯ ଓ ୨୦୧୪ରେ ବି ସେ ପୁଣି ବିଧାୟିକା ହୋଇଥିଲେ । ମୋଟ ଉପରେ ସେ ୧୦ ଥର ବିଧାୟିକା ହୋଇ ରେକଡର଼୍ ସୃଷ୍ଟି କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ୧୦ ଥର ବିଧାୟିକା ହୋଇଥିଲେବି ସେ ମନ୍ତ୍ରୀ ହୋଇନାହାନ୍ତି । ତାଙ୍କୁ ବହୁବାର ମନ୍ତ୍ରୀ କରାଯିବା ପାଇଁ ପ୍ରସ୍ତାବ ଆସିଥିଲେବି ସୁଜ୍ଞାନ କିନ୍ତୁ ଗ୍ରହଣ କରିନଥିଲେ ।
୧୯୬୭ ନିର୍ବାଚନରେ ଖଲିକୋଟର ବିଧାୟକ ହୋଇଥିଲେ ନାରାୟଣ ସାହୁ । ସେହିପରି ୧୯୭୧ ଓ ୧୯୭୪ରେ ତ୍ରିନାଥ ସାମନ୍ତରାୟ ଦୁଇଥର ବିଧାୟକ ହେବାର ସୌଭାଗ୍ୟ ହାସଲ କରିଛନ୍ତି । ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ସହ ଖଲିକୋଟ ଆସନଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ଫଳରେ ୨୦୦୯ରେ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ ହୋଇଥିଲେ । ୨୦୧୪ରେ ପୁଣିଥରେ ସେ ବିଧାୟକ ହେବାର ସୁଯୋଗ ବି ପାଇଥିଲେ । କିନ୍ତୁ ୨୦୧୯ରେ ସୂର୍ଯ୍ୟମଣି ବୈଦ୍ୟ ପ୍ରଥମ ଥର ପାଇଁ ବିଧାୟିକା ହେବାର ସୌଭାଗ୍ୟ ପାଇଛନ୍ତି । ଗାଏମୋଟ ଦେଖିଲେ, ସୁଜ୍ଞାନ ଦେଓଙ୍କ ପାଇଁ ଖଲିକୋଟ ଅଣକଂଗ୍ରେସ ଦୁର୍ଗରେ ପରିଣତ ହୋଇଛି ।




