ରାଉରକେଲାରେ ଆଇପିଏଲ ବେଟିଂ

ରାଉରକେଲା: ଗତ ୩୧ ମାର୍ଚ୍ଚରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ଆରମ୍ଭ ହୋଇଛି। ଏହି ଟୁର୍ଣାମେଣ୍ଟ ମେ’ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଗତ ବର୍ଷଗୁଡ଼ିକ ଭଳି ଆରମ୍ଭରୁ ରାଉରକେଲା ସହରରେ ଆରମ୍ଭ ହୋଇ ଯାଇଛି ବେଟିଂ ବା ଜୁଆ। ସହରର ଅନେକ ଯୁବକ, ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ୮୦ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଜି ଲଗା ଯାଉଛି। ଗୋଟିଏ ରାତିରେ ଟଙ୍କାକୁ ଦ୍ବିଗୁଣିତ କରିବା ପାଇଁ ଲୋକଙ୍କୁ ପ୍ରଲୋଭିତ କରାଉଛନ୍ତି ଦଲାଲ। ଗ୍ରାହକଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଲିଙ୍କ୍ ପଠାଉଛନ୍ତି। ଯଦି କୌଣସି ଗ୍ରାହକ ଏହି ଲିଙ୍କ୍ରେ ଟଙ୍କା ଲଗାଇବା ପାଇଁ ଅଜ୍ଞ, ତେବେ ଫୋନ୍ ପେ’ ବା ଗୁଗୁଲ ପେ’ ମାଧ୍ୟମରେ ଦଲାଲଙ୍କ ପାଖକୁ ଟଙ୍କା ପଠାଉଛନ୍ତି ଲୋକେ। ପ୍ରତିଦିନ ଏମିତି ଲକ୍ଷ ଲକ୍ଷ ଟଙ୍କା ଜୁଆରେ ଲାଗୁଛି, ଅଳ୍ପ କିଛି ଲୋକ ଲାଭବାନ ହେଉଛନ୍ତି, କିନ୍ତୁ ଶହ ଶହ ଲୋକଙ୍କ ପକେଯ୍ ଖାଲି ହୋଇ ଯାଉଛି।
ଆଇପିଏଲ୍ ମ୍ୟାଚ୍ ହେବା ଦିନରୁ ବେଟିଂ ବଜାର ଚଳଚଞ୍ଚଳ ହୋଇଉଠିଛି। ଟେଲିଗ୍ରାମ୍ରେ ମାଳମାଳ ବେଟିଂ ଗ୍ରୁପ୍ ଖୋଲାଯାଇଛି। ରାଉରକେଲା ସହରର ବିଭିନ୍ନ ନେତାଙ୍କ ସହଯୋଗୀ ଓ ସଂପର୍କୀୟ ମଧ୍ୟ ବେଟିଂର ମଙ୍ଗ ଧରିଥିବାର ସୂଚନା ରହିଛି। ଏସବୁ ଖେଳ କରାଉଥିବା କିଙ୍ଗ୍ପିନ୍ ରାଜ୍ୟ ବାହାରେ ରହୁଥିବା ବେଳେ ଟେଲିଗ୍ରାମ୍ରେ ସେମାନଙ୍କ ସହ କଥା ହେଉଛନ୍ତି ଦଲାଲ। କିଙ୍ଗ୍ପିନ୍ଙ୍କ ମେସେଜ୍ ଆସିବା ପରେ ଗ୍ରାହକଙ୍କୁ ଅଫର୍ ଦେଉଛନ୍ତି ଦଲାଲ। ଏହି ଖେଳରେ କୌଣସି ଅର୍ଥ ନଲଗାଇ ଗ୍ରାହକଙ୍କ ଲାଭରୁ ୨ ପ୍ରତିଶତ ନେଉଛନ୍ତି ଦଲାଲ। ପୟାପ୍ତ ସୂଚନା ଅନୁସାରେ, ରାଉରକେଲାରେ ପ୍ରାୟ ୧୫ରୁ ଅଧିକ ନିୟମିତ ଦଲାଲ ରହିଛନ୍ତି। ଅନଭିଜ୍ଞ ଗ୍ରାହକଙ୍କୁ ନିମନ୍ତ୍ରଣ କରିବା ପାଇଁ ହଲାଲମାନେ ହ୍ବାଟ୍ସଅପ୍ ଓ ଟେଲିଗ୍ରାମ୍ରେ ଅନେକ ଗୁଡ଼ିଏ ଗ୍ରୁପ୍ କରିଛନ୍ତି। ରାଉରକେଲା ସହରରେ କେଉଁଠି ଓ କେତେ ବେଳେ ଖେଳ ହେବ, ଗ୍ରୁପ୍ ମାଧ୍ୟମରେ ଗ୍ରାହକଙ୍କୁ ମେସେଜ୍ ଦେଉଛନ୍ତି ଦଲାଲ। ଦଲାଲଙ୍କ କହିବା ଅନୁଯାୟୀ ଅଫ୍ଲାଇନ୍ରେ ସିଧାସଳଖ ଜୁଆ ଖେଳିବା ପାଇଁ କିଛି ଗ୍ରାହକ ସ୍ବୟଂ ସେହିସବୁ ସ୍ଥାନରେ ପହଞ୍ଚୁଛନ୍ତି।
ରାଉରକେଲା ସହରରେ ଦୁଇ ପ୍ରକାର ବେଟିଂ ଚାଲୁଛି। ଗୋଟିଏ ଅନ୍ଲାଇନ୍ ଅନ୍ୟଟି ଅଫ୍ଲାଇନ୍। କିଙ୍ଗ୍ପିନ୍ଙ୍କ ଓ୍ବେବ୍ସାଇଟ୍କୁ ଦଲାଲମାନେ ବିଭିନ୍ନ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସେୟାର କରୁଛନ୍ତି। ସେଥିରେ ମୋବାଇଲ ନମ୍ବର ମଧ୍ୟ ରହୁଛି। ସେହି ଓ୍ବେବ୍ସାଇଟ୍ରେ ରାତାରାତି ଲକ୍ଷପତି କୋଟିପତି ହେବା ଭଳି ବିଭିନ୍ନ କଥା ଲେଖା ଯାଉଛି। ଅନେକ ଲୋକ ଏସବୁ ପଢ଼ି ଦଲାଲଙ୍କୁ କଲ୍ କରୁଛନ୍ତି। କଲ୍ର କିଛି ସମୟ ପରେ ଟେଲିଗ୍ରାମ୍, ହ୍ବାଟ୍ସଆପ୍ କିମ୍ବା ସାଧାରଣ ଟେକ୍ଷ୍ଟ ମେସେଜ୍ରେ ଗ୍ରାହକଙ୍କୁ ବେଟିଂ ପାଇଁ ଏକ ଲିଙ୍କ୍ ପଠାଉଛନ୍ତି। ସେହି ଲିଙ୍କ୍କୁ କ୍ଲିକ୍ କଲେ ଆଇପିଏଲ୍ ମ୍ୟାଚର ସଂପୂର୍ଣ୍ଣ ତଥ୍ୟ ରହୁଛି। ଖେଳ ଆରମ୍ଭ ହେବା ପୂର୍ବରୁ କେଉଁ ଦଳ ଜିତିବ, କିଏ କେତେ ରନ୍ କରିବ, କେତେ ୱିକେଟ୍ ପାଇବ, ଦଳ କେତେ ସ୍କୋର କରିବ ଆଦି ଖେଳର ବିଭିନ୍ନ ଦିଗକୁ ନେଇ ୮୦ ଟଙ୍କାରୁ ବେଟିଂ ଆରମ୍ଭ ହେଉଛି। ଏମିତିକି କୋଟି କୋଟି ଟଙ୍କାର ସେୟାର କିଣିଲା ଭଳି ସୁବିଧା ସେହି ଲିଙ୍କ୍ରେ ରହିଛି। ଯେଉଁ ଲୋକମାନେ ଏସବୁ ବାବଦରେ ସଂପୂର୍ଣ୍ଣ ଅଜ୍ଞ, ସେମାନେ ଦଲାଲଙ୍କୁ ଗୁଗୁଲ ପେ’ ବା ଫୋନ୍ ପେ’ ମାଧ୍ୟମରେ ଟଙ୍କା ପଠାଉଛନ୍ତି। ନଚେତ୍ ସିଧାସଳଖ ଦଲାଲଙ୍କ ହାତକୁ ଟଙ୍କା ଦେଉଛନ୍ତି।
ରାଉରକେଲା ସହରର କୋଏଲ ନଗର, ଝିରପାଣି, ଛେଣ୍ଡ, ସିଭିଲ୍ଟାଉନ୍ ସିପ୍, ଗୋପବନ୍ଧୁପାଲି, ରେଲଓ୍ବେ କଲୋନି, ପ୍ଲାଣ୍ଟସାଇଟ୍ ଓ ବିଭିନ୍ନ ସେକ୍ଟର ଅଞ୍ଚଳରେ ଏହି ଜୁଆ ଚାଲିଥିବାର ସୂଚନା ରହିଛି। କୌଣସି ନିବୁଜ ଘର ଭିତରେ ନୁହେଁ, ଖେଳ ପଡ଼ିଆ, ବନ୍ଦ ଥିବା ସ୍କୁଲ ବା ଅଫିସ୍ ପିଣ୍ଡା ଓ ଚା’ ଦୋକାନ ଆଦି ସ୍ଥାନରେ ମଧ୍ୟ ଖୁଲମଖୁଲା ଭାବେ ବେଟିଂ ଚାଲୁଥିବାର ଦେଖିବାକୁ ମିଳିଛି। ସହରର କିଛି ବଡ଼ ହୋଟେଲ୍ରେ ମଧ୍ୟ ବେଟିଂ ଚାଲୁଛି। ଖାଦ୍ୟ ପାନୀୟକୁ ଉପଭୋଗ କରି ଧନୀ ଶ୍ରେଣୀର ଲୋକେ ଟେଲିଭିଜନ୍ରେ ମ୍ୟାଚ୍ ଦେଖିବା ସହିତ ଜୁଆ ଖେଳୁଛନ୍ତି।
ଉଲ୍ଲେଖଯୋଗ୍ୟ, ରଘୁନାଥପାଲି ପୁଲିସ ଚଳିତ ମାସରେ ଏକ ବେଟିଂ ଗ୍ୟାଙ୍ଗ୍ର ୬ ଜଣ ଯୁବକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ସବୁ ବାହାର ରାଜ୍ୟର। ସେମାନେ ସିଭିଲଟାଉନସିପ୍ର ଏକ ଭଡ଼ା ଘରେ ରହି ବେଟିଂ ଚଳାଇଥିଲେ। ସେହିଭଳି ୨୦୧୮ ମେ’ ମାସରେ ପ୍ଲାଣ୍ଟସାଇଟ୍ ପୁଲିସ ଏକ ହୋଟେଲ୍ରୁ ୩ ଜଣକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୩୩ ମୋବାଇଲ, ଲାପ୍ଟପ୍, ଟିଭି ଓ ନଗଦ ୯ ଲକ୍ଷ ଟଙ୍କା ଜବତ କରିଥିଲା। ସେହିଭଳି ଗତ ବର୍ଷ କୁଆରମୁଣ୍ଡା ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସବୁ ଅଭିଯୁକ୍ତ ଛତିଶଗଡର ଥିଲେ। ତେବେ ସତ ହେଉଛି, ଏହା ହେଉଛି ଭାସମାନ ବରଫଖଣ୍ଡର ଦୃଶ୍ୟମାନ ଅଂଶ ଭଳି। ସହରରେ ଚାଲିଥିବା ଆଇପିଏଲ୍ ବା କ୍ରିକେଟ୍ ଜୁଆର ଏହା ଅତି ଛୋଟ ଅଂଶ ମାତ୍ର। ବାକି ଅଂଶ ଏବେ ମଧ୍ୟ ସକ୍ରିୟ ରହିଛି ଓ ଆଇନର ହାତ ଏଯାଏ ସେମାନଙ୍କୁ ଛୁଇଁ ପାରିନାହିଁ।