ଆଜି ଖେଳାଯିବ ଚଳିତ ଆଇପିଏଲର ଶେଷ ଦୁଇ ଲିଗ୍ ମ୍ୟାଚ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ଶେଷ ଦୁଇ ଲିଗ୍ ମ୍ୟାଚ ରବିବାର ଖେଳାଯିବ। ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବଇ ଇଣ୍ଡିଆନ୍ସ – ସନରାଇଜର୍ସ ହାଇଦରାବାଦ୍କୁ ଓ ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ଗୁଜରାଟ ଟାଇଟାନ୍ସକୁ ଭେଟିବ। ଉକ୍ତ ଦୁଇ ମ୍ୟାଚର ଫଳାଫଳ ପ୍ଲେ ଅଫ ଶେଷ ୨ଟି ସ୍ଥାନ ପାଇଁ ଭାଗ୍ୟ ନିର୍ଦ୍ଧାରଣ କରିବ। ଗୁଜରାଟ ଓ ଚେନ୍ନଇ ପ୍ଲେ ଅଫରେ ପହଞ୍ଚି ସାରିଥିବାବେଳେ ଏବେ ଅବଶିଷ୍ଟ ଦୁଇଟି ସ୍ଥାନ ଲାଗି ଦୌଡ଼ରେ ୪ଟି ଦଳ ରହିଛନ୍ତି। ଚେନ୍ନଇ ଦିଲ୍ଲୀକୁ ପରାସ୍ତ କରି ପ୍ଲେ ଅଫରେ ପହଞ୍ଚିବା ପେର ଆରସିବି ଓ ମୁମ୍ବଇ ପାଇଁ ଶେଷ ମ୍ୟାଚ ଜିତିବା ଏକାନ୍ତ ଜରୁରୀ ହୋଇପଡିଛି। ଅନ୍ୟପକ୍ଷରେ ମୁମ୍ବଇ ଓ ଆରସିବିର ବଡ ପରାଜୟ ନେଇ ରାଜସ୍ଥାନ ପ୍ରାର୍ଥନା କରିବ।
ମୁମ୍ବଇ- ସନରାଇଜର୍ସ ଓ ଆରସିବି- ଗୁଜରାଟ ମ୍ୟାଚର ଫଳାଫଳ ଉପରେ ରାଜସ୍ଥାନର ଭାଗ୍ୟ ନିର୍ଦ୍ଧାରଣ କରିବ। ଆରସିବି ଓ ମୁମ୍ବଇ ଯଦି ବଡ ପରାଜୟ ଭୋଗନ୍ତି ତେବେ ରାଜସ୍ଥାନ ପ୍ଲେ ଅଫରେ ପହଞ୍ଚିବା ନେଇ ସମ୍ଭାବନା ରହିବ।
ଅନ୍ୟପକ୍ଷରେ ଆରସିବି ଓ ମୁମ୍ବଇ ବିଜୟୀ ହେଲେ ରାଜସ୍ଥାନ ଆଶା ଶେଷ ହେବ। ଆରସିବି ୧୩ଟି ମ୍ୟାଚରୁ ୭ଟି ବିଜୟ ଓ ୬ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ରନରେଟ ପ୍ରତିଶତ ୦.୧୮୦ରହିଛି। ଦଳ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ମୁମ୍ବଇ ମଧ୍ୟ ୧୩ଟି ମ୍ୟାଚରୁ ୭ଟି ବିଜୟ ଓ ୬ଟି ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ଦଳର ରନରେଟ ପ୍ରତିଶତ ଆରସିବି ପଛକୁ -୦.୧୨୮ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ମଧ୍ୟ ୧୪ଟି ମ୍ୟାଚରୁ ୭ଟି ବିଜୟ ଓ ୭ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳ ଟେବୁଲର ୫ମ ସ୍ଥାନରେ ରହିଛି। ରନରେଟ୍ ପ୍ରତିଶତ ୦.୧୪୮ରହିଛି। କିଛି ଚମତ୍କାରିତା ରାଜସ୍ଥାନକୁ ପ୍ଲେ ଅଫରେ ପହଞ୍ଚାଇ ପାରିବ। ମୁମ୍ବଇ ଓ ଆରସିବି ଦୁଇ ଦଳ ବଡ ବ୍ୟବଧାନରେ ପରାଜିତ ହେବା ରାଜସ୍ଥାନକୁ ବଞ୍ଚାଇ ପାରିବ। ଗୁଜରାଟ ପ୍ଲେ ଅଫରେ ପହଞ୍ଚି ସାରିଥିବାବେଳେ ଶୀର୍ଷ ସ୍ଥାନ ବଜାୟ ରଖିବା ନେଇ ଆରସିବି ବିପକ୍ଷରେ ବିଜୟ ପାଇଁ ନିଶ୍ଚିତ ଉଦ୍ୟମ କରିବ। ସେହିପରି ସନରାଇଜର୍ସ ବିପକ୍ଷରେ ମୁମ୍ବଇ ଇଣ୍ଡିଆନ୍ସ ଶକ୍ତିଶାଳୀ ମନେ କରାଯାଉଛି। ଏଭଳି ସ୍ଥିତିକୁ ଦେଖିଲେ ରାଜସ୍ଥାନ ପାଇଁ ପ୍ଲେ ଅଫ ରାସ୍ତା କଷ୍ଟକର ମନେ ହେଉଛି।