ମିଳିବନି ନିସ୍ତାର, ତତଲା ତାଉଆରେ ଭାଜି ହେବ ଅଧା ଓଡ଼ିଶା

ମିଳିବନି ନିସ୍ତାର, ତତଲା ତାଉଆରେ ଭାଜି ହେବ ଅଧା ଓଡ଼ିଶା

ଭୁବନେଶ୍ବର : ଏବେ ତାତିରୁ ମିଳିବନି ନିସ୍ତାର। ୨୧ ତାରିଖ ପର୍ୟ୍ୟନ୍ତ ତତଲା ତାଉଆରେ ଭାଜି ହେବ ଅଧା ଓଡ଼ିଶା। ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗିବ। ୪୨ ଡିଗ୍ରି ଡେଇଁଯିବ ଅଧିକାଂଶ ସହର। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରି ମଧ୍ୟରେ ରହିବ। ମାତ୍ର ଅସ୍ତବ୍ୟସ୍ତ କରିପକାଇବ ପ୍ରବଳ ଗୁଳୁଗୁଳି। ସ୍ଥାନେ ସ୍ଥାନେ କାଳବୈଶାଖୀ ହେବାର ସମ୍ଭାବନା ରହିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିବ ନାହିଁ।

ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବା କଥା ହେଉଛି ଯେ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ସହରର ତାପମାତ୍ରା ଗୁରୁବାର ୪୩ ଡିଗ୍ରି ଏବଂ ଶୁକ୍ରବାର ୪୪ ଡିଗ୍ରି ଉପରେ ରହିବ। ୨୦ ଓ ୨୧ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରି ଏବଂ ରାଉରକେଲା, ସୁନ୍ଦରଗଡ଼, ନୂଆପଡ଼ା, ଭବାନୀପାଟଣା, ଅନୁଗୁଳ ସହର ୪୩ ଡିଗ୍ରି ଡେଇଁଯାଇପାରେ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ଓ ଦକ୍ଷିଣ ଓଡ଼ିଶାର କିଛି ସହରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଗୁରୁବାର ଉପକୂଳ ଓ ସଂଲଗ୍ନ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।