ବିଲରେ ଓହ୍ଲାଇଲା ଭାରତୀୟ ବାୟୁସେନାର ହେଲିକପ୍ଟର୍
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲା ଅନ୍ତର୍ଗତ ଗୋଟାଏ ଗ୍ରାମ ନିକଟରେ ଥିବା ବିଲରେ ଭାରତୀୟ ବାୟୁସେନାର ଏକ ଆପାଚି ଆଟାକ୍ ହେଲିକପ୍ଟର୍ ଆଜି ଜରୁରୀ ଅବତରଣ କରିଥିବା କଥା ବାୟୁସେନା ଅଧିକାରୀମାନେ କହିଛନ୍ତି।
ସୂଚନା ଅନୁସାରେ, ଜଖାନୌଲି ଗାଁ ଅନ୍ତର୍ଗତ ବିଲରେ ବାୟୁସେନାର ‘ଏଏଚ୍ ୬୪ଇ’ ଆପାଚି ହେଲିକପ୍ଟର୍ଟି ଜରୁରୀ ଅବତରଣ କରିଛି। ହେଲିକପ୍ଟର୍ର ପାଇଲଟ୍ ନିରାପଦ ଅଛନ୍ତି। ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟର୍ ସତର୍କତାମୂଳକ ବା ଜରୁରୀ ଅବତରଣ କରିଥିବା ଭଳି ଜଣାପଡୁଛି। ବାୟୁସେନାର ଜଣେ ଅଧିକାରୀ କହିଛନ୍ତି, ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣା ଏଡ଼ାଯାଇ ପାରିଲା। ହେଲିକପ୍ଟର୍ରେ ଯାନ୍ତ୍ରିକ ତ୍ରୁଟି ଦେଖି ସେ ଜରୁରୀ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ। ଖୁବ୍ ଶୀଘ୍ର ହେଲିକପ୍ଟର୍ଟି ବିଲରୁ ଉଡ଼ାଣ ଆରମ୍ଭ କରିବ। ସୂଚନାଯୋଗ୍ୟ, ‘ଏଏଚ୍ ୬୪ଇ’ ଆପାଚି ହେଲିକପ୍ଟର୍’ ହେଉଛି ବିଶ୍ବର ସବୁଠୁ ଆଧୁନିକ ବହୁମୁଖୀ ଲଢୁଆ ହେଲିକପ୍ଟର୍। ଆମେରିକା ଓ ବହୁସଂଖ୍ୟକ ଆନ୍ତର୍ଜାତିକ ପ୍ରତିରକ୍ଷା ବଳ ଏହି ହେଲିକପ୍ଟର୍ ବ୍ୟବହାର କରୁଛନ୍ତି। ଏହାକୁ ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ବର ୧୬ଶ ଦେଶ।




admin 