ଯିଏ ଓଡ଼ିଶାକୁ ଚିହ୍ନିନି, ସିଏ ଏବେ ମାଲିକ ବନିଛି : ଧର୍ମେନ୍ଦ୍ର
ଭୁବନେଶ୍ଵର : ଓଡ଼ିଶାର ବିଧାୟକ, ମନ୍ତ୍ରୀ ଓ ଜନପ୍ରତିନିଧିମାନଙ୍କର ନିଜସ୍ୱ କ୍ଷମତା କିଛି ନାହିଁ । ମୁଖ୍ୟମନ୍ତ୍ରୀ ଏବେ ନାଁକୁ ମାତ୍ର । ଯିଏ ଓଡ଼ିଶାକୁ ଚିହ୍ନିନି, ଓଡ଼ିଶାର ଭାବାବେଗ ସହ ଯାହାର ସମ୍ପର୍କ ନାହିଁ ସିଏ ଏବେ ମାଲିକ ବନିଛି । ଘରେ କାମ କରୁଥିବା ଲୋକ,ଭାବୁଛି ମାଲିକ ହୋଇଯିବ । ମନ୍ତ୍ରୀମାନେ ଏଠି ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହ ଓଡ଼ିଶା ଏଭଳି ଏକ ବଡ଼ ସମସ୍ୟା ଦେଇ ଗତି କରୁଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି ।
ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ଜମନକିରା ବ୍ଲକ ଫାଶୀମାଳଠାରେ ଆୟୋଜିତ କର୍ମକର୍ତ୍ତା ବୈଠକ ଓ ରେଙ୍ଗାଲିର ଟାମ୍ପରକେଲାଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ଭାବାବେଗ ସହ ଯାହାର ସମ୍ପର୍କ ନାହିଁ, ସେମାନେ ଏବେ ରାଜ୍ୟର ଦାୟିତ୍ୱରେ ଅଛନ୍ତି । ଯିଏ ଓଡ଼ିଆ ଲୋକଙ୍କ କର ଖଜଣାରେ ଦରମା ପାଏ,ଆଜି ସିଏ ମାଲିକ ହୋଇ ବସିଛି ।
ଓଡ଼ିଶାର ବିଧାୟକ, ମନ୍ତ୍ରୀ ଓ ଜନପ୍ରତିନିଧିମାନେ ନିଜସ୍ୱ କ୍ଷମତା ହରାଇ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଏଠି ନାଁକୁ ମାତ୍ର । ଆଉ ଘରେ କାମ କରୁଥିବା ଲୋକ ନିଜକୁ ମାଲିକ ଭାବୁଛି । ମନ୍ତ୍ରୀମାନେ ଏବେ ଅମଲାଙ୍କ ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି । ଯାହାକି ସମ୍ବିଧାନବିରୋଧୀ । ରାଜ୍ୟରେ ସମ୍ବିଧାନ ବିରୋଧୀ ସମୂହ ଓ ଭ୍ରଷ୍ଟାଚାରୀ ସମୂହଙ୍କୁ ଓଡ଼ିଶାରୁ ବାହାର କରିବାକୁ ପଡ଼ିବ ଓ ମୋଦିଙ୍କ ଶାସନ ପ୍ରଣାଳୀକୁ ଆଗକୁ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।ସେ କହିଛନ୍ତି ଯେ, ବିଜେଡି ନେତାଙ୍କ ନାଁରେ ତାଙ୍କ ଦଳର ନେତ୍ରୀ ଶୋଷଣ ଅଭିଯୋଗ ଆଣିଲେ । ସେହି ମହିଳାଙ୍କୁ ଏପର୍ୟ୍ୟନ୍ତ ନ୍ୟାୟ ମିଳିଲାନି । ବିଜେଡି ନେତା,ମନ୍ତ୍ରୀମାନଙ୍କ ନାଁରେ ଡଜନ ଡଜନ ହତ୍ୟା ଅଭିଯୋଗ ରହିଛି । ରାଜ୍ୟରେ ପିଲାମାନଙ୍କ ଶାରୀରିକ ଅଭିବୃଦ୍ଧି ହେଉନି । ଅପପୁଷ୍ଟିର ଶିକାର ହେଉଛନ୍ତି, ଯାହାକି ଉଦବେଗନକ ସ୍ଥିତିରେ ରହିଛି ।
ବିଜେଡି ସରକାରର ୨୩ବର୍ଷ ଶାସନ କାଳରେ ରାଜ୍ୟରେ ଅପପୁଷ୍ଟି ସମସ୍ୟା ରହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୯ବର୍ଷର ମୋଦି ସରକାରରେ ସମ୍ବଲପୁରକୁ ଜିଲ୍ଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ଦିଆଯାଇଥିବା ସହାୟତାର ହିସାବ ଦେଇଛନ୍ତି । ପରିବାର ପିଛା ପ୍ରାୟ ୫ଲକ୍ଷ ଟଙ୍କା ମୋଦି ସରକାର ଦେଇଥିବା ଶ୍ରୀ ପ୍ରଧାନ ହିସାବ ଦେଇଛନ୍ତି । ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ , ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା , ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମ୍ବଲପୁର ଜିଲ୍ଲାର ମୋଟ ୧ ଲକ୍ଷ ୬୪ ହଜାର ୫୭୪ ଟି ପରିବାରକୁ ସର୍ବମୋଟ ୭ ୯୧୮ କୋଟି ଟଙ୍କା ଦେଇଛନ୍ତି । ଅର୍ଥାତ୍ ଜିଲ୍ଲାର ପରିବାର ପିଛା ପ୍ରାୟ ୪ ଲକ୍ଷ ୮୧ ହଜାର ୧୨୧ ଟଙ୍କା ମୋଦି ସରକାର ଦେଇଛନ୍ତି ବୋଲି ସେ କହିଛନ୍ତି ।




admin 