ଦିଲ୍ଲୀରୁ ଫୋନ : ଟଙ୍କା ଦିଅ, କଂଗ୍ରେସ ଟିକେଟ ନିଅ

ଦିଲ୍ଲୀରୁ ଫୋନ : ଟଙ୍କା ଦିଅ, କଂଗ୍ରେସ ଟିକେଟ ନିଅ

ଦିଲ୍ଲୀରୁ ଫୋନ : ଟଙ୍କା ଦିଅ, କଂଗ୍ରେସ ଟିକେଟ ନିଅ
ନୂଆଦିଲ୍ଲୀ : ‘ତମ ଟିକେଟ ଫାଇନାଲ । ସିଇସି ଡାକିଛନ୍ତି । ତୁରନ୍ତ ଆସନ୍ତୁ । ଦି ଚାରିଘଂଟା ଭିତରେ ପହଁଚନ୍ତୁ । ଯଦି ପହଁଚି ପାରୁନାହାନ୍ତି ତାହେଲେ ୨୯ ହଜାର ଟଙ୍କା ଆକାଉଂଟରେ ଛାଡ଼ିଦିଅନ୍ତୁ ।’ କଂଗ୍ରେସ ଟିକେଟ ଆଶାୟୀ ରାଜ୍ୟର କିଛି ଯୁବ ନେତାଙ୍କୁ ଦିଲ୍ଲୀରୁ ଏମିତି କିଛି କଲ ଆସୁଛି । ଯାହାକୁ ନେଇ ବେଶ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତଥର ଟିକେଟ ବଂଟାରେ କାରବାର ହୋଇଥିଲା ବୋଲି ଚର୍ଚ୍ଚା ହେଉଥିବାବେଳେ ଏଥର ମଧ୍ୟ ଟଙ୍କା ଦେଲେ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଦିଲ୍ଲୀରୁ ଆସିଥିବା କଲଟି ରିଅଲ ନା ଫେକ ତାହାକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ସମୟ ପ୍ରାୟ ସଂଧ୍ୟା ୭ଟା ହେବ । ୮୮୨୬୩୭୬୫୪୪ରୁ ଏକ କଲ ଆସିଥିଲା । କଲଟି ରିସିଭ କରିଥିଲେ କଟକ ସଦରର କଂଗ୍ରେସ ଟିକେଟ ଆଶାୟୀ ଦୁଷ୍ମନ୍ତ ବେହେରା । ସାଙ୍ଗେସାଙ୍ଗେ ସେପଟୁ ଜଣେ ବ୍ୟକ୍ତି କହିଲେ, କଂଗ୍ରାଟସ । ଆପଣଙ୍କୁ ଟିକେଟ ମିଳିବ । ସିଇସି ମିଟିଂରେ ଫାଇନାଲ ହୋଇସାରିଛି । ୧୧ କିମ୍ବା ୧୨ରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ଥିବାରୁ ଆଶାୟୀ ଦୁଷ୍ମନ୍ତ ବେଶ ଖୁସି ହୋଇଯାଇଥିଲେ । ଥ୍ୟାଙ୍କୟୂ ଥ୍ୟାଙ୍କୟୂ କହିବାକୁ ବି ଭୁଲିନଥିଲେ । ହେଲେ ସେପଟୁ କୁହାଗଲା, ସିଇସି ମିଟିଂ ଚାଲିଛି । ଆପଣ ଦି ଘଂଟା ଭିତରେ ହାଜର ହୁଅନ୍ତୁ । ଯେହେତୁ ଦୁଷ୍ମନ୍ତ ଓଡ଼ିଶାରେ ଅଛନ୍ତି ତେଣୁ ଦି ଘଂଟା ଭିତରେ ପହଁଚିବା ସମ୍ଭବପର ନୁହେଁ ବୋଲି କହିଥିଲେ । ସେପଟୁ ଉତର ଆସିଲା, ଠିକ ଅଛି, ଯଦି ନଆସିପାରିବେ ତାହେଲେ ୨୯ ହଜାର ଟଙ୍କା ପଠାଇ ଦିଅନ୍ତୁ । ଟଙ୍କା କଥା ଶୁଣିବା ପରେ ଦୁଷ୍ମନ୍ତଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଥିଲା । ରାଜ୍ୟ କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ସହ ସେ ଯୋଗାଯୋଗ କରିଥିଲେ । କିଛି ସମୟ ପରେ ପୁଣି ୮୮୨୬୩୭୬୫୪୪ରୁ କଲ ଆସିଥିଲା । ଦୁଷ୍ମନ୍ତ ଜାଣିପାରିଥିଲେ ଏହା ଏକ ଫେକ କଲ ଥିଲା ବୋଲି । ସଙ୍ଗେସଙ୍ଗେ ଆକାଉଂଟ ନମ୍ବର ମାଗିଲେ ହେଲେ ଆଉ ମିଳିନଥିଲା । ଆମେ ମଧ୍ୟ ଏହି ନମ୍ବରରେ କଲ କରିଥିଲୁ, ସିଇସି ମିଟିଂ କେବେ ପଚାରିଥିଲୁ । ସାଙ୍ଗେସାଙ୍ଗେ ଫୋନଟି କଟିଯାଇଥିଲା । ହେମା ବାଡ଼ଗାଲି ବୋଲି ଟ୍ରୁକଲରରେ ଲେଖା ହୋଇଥିବାବେଳେ ଏକ ସୁନ୍ଦରୀ ଝିଅର ଫଟୋ ମଧ୍ୟ ରହିଛି । ଗାଏମୋଟ କହିଲେ ଏହା ଏକ ଫେକ କଲ । କଂଗ୍ରେସ ହୁଏତ ଏଭଳି ବାହାନା ଦେଖାଇପାରେ । ହେଲେ ମୂଳ ପ୍ରସଙ୍ଗଟି ହେଉଛି ଦୁଷ୍ମନ୍ତ ବେହେରା ଆଶାୟୀ ବୋଲି ଦିଲ୍ଲୀରେ ବସିଥିବା ଲୋକଟି ଜାଣିଲା କେମିତି ? ତାଙ୍କ ନମ୍ବର ସେ ପାଇଲା କେଉଁଠୁ । କାହିଁକିନା ନମ୍ବରଟି ତ ଆଶାୟୀଙ୍କ ବାୟୋଡ଼ାଟାରେ ରହିଥିବ । ଏହି ତାଲିକାଟି ପିସିସି ଓ ଏଆଇସିସିର ନେତାଙ୍କ ପାଖରେ ରହିଛି । ଅର୍ଥାତ ଆଶାୟୀଙ୍କ ତାଲିକାଟି ଲିକ ହୋଇଯାଇଛି । ଯେଉଁଥିରେ ଆଶାୟୀଙ୍କର ସମସ୍ତ ଠିକଣା ସହ ମୋବାଇଲ ନମ୍ବର ମଧ୍ୟ ରହିଛି । ତେଣୁ ଢେ଼ାଲ ଭିତରେ ମୂଷା କିଏ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି । ଏମିତିବି ହୋଇପାରେ କଂଗ୍ରେସର କେହି ନେତା ଏହି ତାଲିକାଟି ବିଜେପି ନେତାଙ୍କ ହାତରେ ଧରାଇବା ବି ଅସ୍ୱାଭାବିକ ନୁହେଁ । ହୁଏତ ଦଳକୁ ବଦନାମ କରିବା ପାଇଁ ସେ ଏଭଳି ଷଡ଼ଯନ୍ତ୍ର ରଚିଥାଇପାରେ ।