ବିଜେପିକୁ ଫେରିବେ ବିଜୟ !

ବିଜେପିକୁ ଫେରିବେ ବିଜୟ !

ବିଜେପିକୁ ଫେରିବେ ବିଜୟ !
ଭୁବନେଶ୍ୱର: ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ତିନି ପ୍ରମୁଖ ଦଳଙ୍କ ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ଭିତରେ ବହୁ ଦଳୀୟ ନେତା ନିଜ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ନିଜ ଦଳରୁ ଟିକେଟ ନମିଳିବା ଆଶଙ୍କା ଏବଂ ଟିକେଟରୁ ବଂଚିତ ହୋଇ ଦଳ ଛାଡିଥିବା ଏହି ନେତାମାନେ ନୂଆ ଦଳରେ ଟିକେଟ ପାଇବାରେ ସକ୍ଷମ ହୋଇଛନ୍ତି । ବହୁ ପୁରୁଣା ନେତାଙ୍କ ଦଳବଦଳ ଏବେ ଚର୍ଚ୍ଚା ଥିବାବେଳେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ଖବର ମିଳିଛି । ରବିବାର ଦିନ ଏକ ତାରକା ହୋଟେଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ମଧ୍ୟରେ ବହୁ ସମୟ ଧରି ଏବିଷୟରେ ଆଲୋଚନା ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ସମ୍ଭବତଃ ସୋମବାର ଦିନ ବିଜେପିକୁ ପୁଣି ଥରେ ଫେରିବେ । ସୂଚନାଯୋଗ୍ୟ, ଗତ ନଭେମ୍ବର ୧୮ ତାରିଖରେ ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ । ଇତି ମଧ୍ୟରେ ଉଭୟ ନେତା ବିଜେଡିରେ ଯୋଗ ଦେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଉଭୟ ଏ ସଂପର୍କରେ ଖୋଲାଖୋଲି ଭାବେ କିଛି କହୁ ନଥିଲେ । ତେବେ ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇନାହିଁ ବୋଲି ବିଜେପି ପକ୍ଷରୁ ସଫେଇ ଦିଆଯାଇଥିଲା । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେପି ବୈଜୟନ୍ତଙ୍କୁ ଟିକେଟ ଦେଇସାରିଥିବା ବେଳେ ଜଣେ ବିଚକ୍ଷଣ ରାଜନେତା ଭାବେ ସାବ୍ୟସ୍ତ ବିଜୟ ମହାପାତ୍ର ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଦଳ କେଉଁ ଭୂମିକା ଦେବ ତାହା ଆଗାମୀ ଦିନରେ ଜଣାପଡିବ ।