ଜାଣନ୍ତୁ, ହଇଜା ରୋଗର କାରଣ କାରଣ ଓ ଲକ୍ଷଣ
ଦିନ ଥିଲା ହଇଜା ମହାମାରୀର ରୂପ ନେଇଥିଲା। ଏହି ରୋଗ ମୃତ୍ୟୁର ବିଭୀଷିକା ରଚିଥିଲା। ଧୀରେ ଧୀରେ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଏବଂ ସଠିକ୍ ପଦକ୍ଷେପ କଲେରାକୁ ମହାମାରୀ ତାଲିକାରୁ ହଟାଇ ଦେଇଥିଲା। ହେଲେ ବିଂଶ ଶତାବ୍ଦୀରେ ଆମ ରାଜ୍ୟର ଏକ ସ୍ମାର୍ଟ ସିଟି ରାଉରକେଲାରେ ଯେଉଁପରି ଭାବେ ହଇଜା ବ୍ୟାପୁଛି ତାହା ଚିନ୍ତାର ବିଷୟ। ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସରକାରୀ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୧୫ ରୋଗୀଙ୍କ ମୃତ୍ୟୁ ଘଟି ସାରିଲାଣି। ପରୀକ୍ଷା ପରେ ପାଣିରୁ ହଇଜା ରୋଗ ସୃଷ୍ଟିକାରୀ ଜୀବାଣୁ ଚିହ୍ନଟ ହୋଇଛି। ଏବେ ବି ବିଭିନ୍ନ ହସ୍ପିଟାଲରେ ହଜାରେରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି।
ହଇଜା ହେଉଛି ହଜମ ପ୍ରକ୍ରିୟା ସହ ଜଡ଼ିତ ଏକ ବ୍ୟାଧି। ଏହି ସମସ୍ୟା ହେଲେ ଜଣେ ବ୍ୟକ୍ତିଙ୍କର ଅଳ୍ପ ସମୟ ମଧ୍ୟରେ ଏକାଧିକ ଥର ଝାଡ଼ା ହୋଇଥାଏ। ଅତ୍ୟନ୍ତ ପତଳା ଝାଡ଼ା ହୋଇ ଶରୀର ଦୁର୍ବଳ ହୋଇଯାଏ। ସମସ୍ୟା ଗମ୍ଭୀର ହେଲେ ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଏ। ଦୂଷିତ ପାଣି, ଅପରିଷ୍କାର ଖାଦ୍ୟ ସେବନ ଏବଂ ପେଟ ସମସ୍ୟା କାରଣରୁ ଏହି ରୋଗ ହୋଇଥାଏ ।
ମୁଖ୍ୟତଃ ଇ. କୋଲି ଏବଂ ଭିବ୍ରିଓ କଲେରା ପରି ଜୀବାଣୁ କିମ୍ବା ଏହି ଜୀବାଣୁର ବିଭିନ୍ନ ପ୍ରଜାତି କାରଣରୁ ହଇଜା ସୃଷ୍ଟି ହୋଇଥାଏ। ଖାଦ୍ୟ କିମ୍ବା ପାନୀୟରେ ଏହିସବୁ ଜୀବାଣୁ ଥିଲେ ହଇଜା ବ୍ୟାପେ। ବର୍ଷା ଋତୁରେ ଏହି ରୋଗ ଅଧିକ ବ୍ୟାପିଥାଏ।
ବାରମ୍ବାର ପତଳା ଝାଡ଼ା ସହ ବାନ୍ତି ହେବା, ଜଳୀୟ ଅଂଶ ଅଭାବ, ପରିସ୍ରା ନ ଲାଗିବା, ଦୁର୍ବଳତା, ଥକାପଣ ଏବଂ ଜ୍ୱର ଭଳି ଲକ୍ଷଣ ଦେଖାଯାଏ। ଯଦି ବାରମ୍ବାର ଶରୀରରେ ଏପରି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।
ହଇଜା ରୋକିବାକୁ ହେଲେ ପ୍ରଥମେ ପରିଷ୍କାର-ପରିଚ୍ଛନତା ଉପରେ ଗୁରୁତ୍ୱ ଦିଅନ୍ତୁ।
ଖାଇବା ପ୍ରସ୍ତୁତ କରିବା ପୂର୍ବରୁ ଏବଂ ଖାଇବା ସମୟରେ ହାତକୁ ଭଲ ଭାବେ ପରିଷ୍କାର ରଖନ୍ତୁ।
ଖାଦ୍ୟଦ୍ରବ୍ୟକୁ ଭଲ ଭାବେ ଧୋଇ ରୋଷେଇ କରନ୍ତୁ, ବାସନକୁ ଗରମ ପାଣିରେ ସଫା କରନ୍ତୁ।
ବାସି ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ।
ରାସ୍ତାକଡ଼ରୁ ମିଳୁଥିବା ଖାଦ୍ୟକୁ ସମ୍ପୂର୍ଣ୍ଣ ବର୍ଜନ କରନ୍ତୁ।
ଘରୁ ବାହାରକୁ ଯିବା ସମୟରେ ନିଜ ସାଙ୍ଗରେ ପରିସ୍କାର ବୋତଲରେ ପାଣି ନେଇ ଯାଆନ୍ତୁ। ବାହାରେ ଆଦୌ ପାଣି ପିଅନ୍ତୁ ନାହିଁ।
ବିଶେଷ କରି ହଇଜା ବ୍ୟାପୁଥିବା ଅଞ୍ଚଳରେ ବାହାର ଖାଦ୍ୟ ଏବଂ ପାନୀୟ ଆଦୌ ଗ୍ରହଣ କରନ୍ତୁ ନାହିଁ।




admin 