ମସ୍ତିଷ୍କର ଶକ୍ତି ବଢ଼ାଇବ ଏହି ସୁପର୍‌ ଫୁଡ

ମସ୍ତିଷ୍କର ଶକ୍ତି ବଢ଼ାଇବ ଏହି ସୁପର୍‌ ଫୁଡ

ଖାଦ୍ୟ ମଣିଷକୁ ନିରୋଗ ରଖୁବା ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଦୃଢ କରିଥାଏ । ହେଲେ ଏମିତି ବି କିଛି ଖାଦ୍ୟ ରହିଛି, ଯେଉଁ ଖାଦ୍ୟକୁ ଖାଇଲେ ମସ୍ତିଷ୍କ ଶକ୍ତି ବଢିଥାଏ । ବିଶେଷକରି ପିଲାମାନଙ୍କୁ ଏହି ଖାଦ୍ୟ ଖାଇବାକୁ ଦେଲେ ସେମାନଙ୍କର ସ୍ମରଣ ଶକ୍ତି ସକ୍ରିୟ ହୋଇଥାଏ । କାର୍ଯ୍ୟକ୍ଷମ ଶକ୍ତି ବଢ଼ିବା ସହ ସୃଜନଶୀଳତା ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ମସ୍ତିଷ୍କ ଶକ୍ତି ବଢ଼ାଇବା ଲାଗି ଉପଯୋଗୀ ହୋଇଥାଏ ।

ଅଖରୋଟ

ଅଖରୋଟରେ ଓମେଗା-୩ ଫ୍ୟାଟି ଏସିଡର ପରିମାଣ ଅଧିକ ରହିଛି । ଯାହା, ଅକ୍ସିଡାଟିଭ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରେ ଏବଂ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି କରେ । ଅଖରୋଟରେ ମାଇକ୍ରୋମିନେରାଲ୍ସ ଯେପରି- କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେସିୟମ, ସୋଡିୟମ, ପୋଟାସିୟମ ଆଦି ରହିଛି । ଏଥିସହ ଅଖରୋଟରେ ଆଇରନ, ଭିଟାମିନ ଏ, ଥିଆମିନ, ରିବୋଫ୍ଲାଭିନ ଏବଂ ନିଆସିନ୍‌ ରହିଛି । ଏସବୁ ପୋଷକ ତତ୍ତ୍ୱ ସ୍ନାୟୁକୁ ସୁସ୍ଥ ରଖିଥାଏ । 

କୋଳି ଓ ବାଦାମ

ସମସ୍ତ ପ୍ରକାରରେ କୋଳି ଓ ବାଦାମରେ ଫିଟୋକେମିକାଲ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ବୟସ ବଢ଼ିବା ସମୟରେ ମସ୍ତିଷ୍କରେ ଘଟୁଥିବା ନ୍ୟୁରୋଜେନେରେଟିଭ ପ୍ରକ୍ରିୟାକୁ ଧିର କରିଥାଏ । ଫଳରେ ସ୍ମରଣ ଶକ୍ତି ବଜାୟ ରହିଥାଏ । କୋଳିରେ କାଫେଇକ୍‌ ଏସିଡ, କାଟେଚିନ୍‌, କ୍ୱେରସେଇନ୍‌ ଏବଂ ଟାନୀନ୍‌ ନାମକ ତତ୍ତ୍ୱ ଭରି ରହିଥାଏ । ଏସବୁ ଉପାଦାନ ସ୍ନାୟୁ କୋଷକୁ କ୍ଷୟ ହେବାରୁ ରକ୍ଷା କରିଥାଏ ଏବଂ କ୍ଷୟ କୋଷକୁ ପୁନଃ ଗଠନ କରିଥାଏ ।

ମାଛ

ମାଛରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ, ଯାହା ମସ୍ତିଷ୍କ ଲାଗି ଉତ୍ତମ । ଏଥସହ ମାଛରେ ଥିବା ଭିଟାମିନ ଡି ଏବଂ ସେଲେନିୟମ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ । ଏହା ମସ୍ତିଷ୍କର ଚାପକୁ ହ୍ରାସ କରେ ଓ ମାନସିକ ଶାନ୍ତି ପ୍ରଦାନ କରେ । ମାଛରେ ପ୍ରୋଟିନ, ମିନେରାଲସ୍‌ କ୍ୟାଲସିୟମ ଏବଂ ଭିଟାମିନ୍ସ ରହିଥାଏ । ପିଲାମାନଙ୍କ ଚୁନା ମାଛ ଖାଇବାକୁ ଦେବା ଦ୍ୱାରା ସେମାନଙ୍କର ଦୃଷ୍ଟି ଶକ୍ତି ପ୍ରଖର ହେବା ସହ ସ୍ମରଣ ଶକ୍ତି ବୃଦ୍ଧି ପାଏ ।

ଆଭୋକାଡୋ

ଏଥିରେ ଭିଟାମିନ କେ, ଫୋଲେଟ, ଟ୍ରାଇପ୍ଟୋଫାନ, ପୋଟାସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି । ଟ୍ରାଇପ୍ଟୋଫାନ ହେଉଛି ଏକ ପ୍ରକାରର ଆମିନୋ ଏସିଡ୍‌ । ଏହା ସେରୋଟୋନିନ ହରମୋନ ଉତ୍ପାଦନ କରେ । ଯାହା ମନୋବଳ ଏବଂ ମାନସିକ ସ୍ଥିରତାକୁ ଉନ୍ନତ କରେ । ଆଭୋକାଡୋରେ ପାଣ୍ଟୋଥେନିକ ଏସିଡ ମଧ୍ୟ ରହିଛି । ଏହାକୁ ଭିଟାମିନ ବି-୫ ନାମରେ ଜଣାଯାଏ । ଏହା ସ୍ନାୟୁରେ ସଠିକ ଭାବରେ ରକ୍ତ ସଞ୍ଚାଳନ କରି ମସ୍ତିଷ୍କକୁ ସକ୍ରିୟ କରେ ।