ଡାଇବେଟିସ ହେଲେ ମାଡ଼ି ବସେ ବାକି ସବୁ ରୋଗ
ଏବେ ଘରେ ଘରେ ମଧୁମେହ ରୋଗୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଲୋକଙ୍କୁ ମଧୁମେହ ରୋଗ ବାବଦରେ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ କରାଯାଉଛି।
ଏହି ବିଶେଷ ଦିନରେ ଜାଣନ୍ତୁ ମଧୁମେହ ରୋଗ ଥିଲେ ଅନ୍ୟ କେଉଁସବୁ ରୋଗ ହେବାର ସମ୍ଭାବନା ଥାଏ ଏବଂ କିପରି ଲକ୍ଷଣ ପରଖି ଚିକିତ୍ସା କରିବେ...
ଉଚ୍ଚ ରକ୍ତଚାପ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହରେ ପୀଡ଼ିତ ରୋଗୀଙ୍କର ପ୍ରଥମେ ଧମନୀ ସଂକୀର୍ଣ୍ଣ ହୋଇଯାଏ। ଏଥି ସହିତ, ରକ୍ତରେ ଶର୍କରା ସ୍ତର ବୃଦ୍ଧି କାରଣରୁ ରକ୍ତ ମୋଟା ହେବା ଆରମ୍ଭ କରେ। ଏହି କାରଣରୁ ହୃଦୟକୁ ସଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରେ ନାହିଁ, ଫଳରେ ଚାପ ଅନୁଭବ ହୁଏ। ଏପରି ପରିସ୍ଥିତିରେ, ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଇ ଥାଏ ।
ଉଚ୍ଚ କୋଲେଷ୍ଟ୍ରଲ ରୋଗୀଙ୍କଠାରେ ମଧୁମେହ ହେବାର ଆଶଙ୍କା ବହୁତ ଅଧିକ। ବାସ୍ତବରେ, ଶରୀରରେ ସୁଗର୍(ଶର୍କରା) ସମସ୍ୟା ଦେଖାଦେବା ଏକ ମେଟାବୋଲିକ୍ ଡିଜ୍ଅର୍ଡର୍। ମଧୁମେହ ହେଲେ ମୁଖ୍ୟତଃ ରକ୍ତରେ ଶର୍କରା ସ୍ତର ବୃଦ୍ଧିପାଏ।ଏହି କାରଣରୁ ହଜମ ପ୍ରକ୍ରିୟା ପ୍ରଭାବିତ ହୁଏ। ଏହା ସହିତ ଫ୍ୟାଟ୍ ମେଟାବୋଲିଜିମ୍ ମଧ୍ୟ ପ୍ରଭାବିତ ହୋଇଥାଏ। ରକ୍ତରେ ଶର୍କରା ବୃଦ୍ଧି କୋଲେଷ୍ଟ୍ରୋଲ୍ ମଧ୍ୟ ବୃଦ୍ଧିକରେ। ଶରୀରରେ କୋଲେଷ୍ଟ୍ରଲ୍ ମାତ୍ରା ବୃଦ୍ଧି ପାଇଲେ ହୃଦୟଜନିତ ସମସ୍ୟା ଦେଖାଦିଏ।
ଯେତେବେଳେ ରକ୍ତ ମୋଟା ହୋଇଯାଏ ଏବଂ ଧମନୀ ସଂକୀର୍ଣ୍ଣ ହୁଏ, ସେତେବେଳେ ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ। ଏହି କାରଣରୁ, ରକ୍ତଚାପ ବୃଦ୍ଧି ପାଇ ଷ୍ଟ୍ରୋକ ଆଶଙ୍କା ବଢିଯାଏ। ତେଣୁ, ଏହି ରୋଗରୁ ରକ୍ଷା ପାଇବା ପାଇଁ ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।
ଏସବୁ ରୋଗରୁ ରକ୍ଷା ପାଇବାକୁ ହେଲେ ପର୍ଯ୍ୟାପ୍ତ ପରିମାଣର ପନିପରିବା, ଫଳ ଏବଂ ଉଚ୍ଚ ଫାଇବର ଖାଦ୍ୟ ଖାଇବା ଉଚିତ୍। ଏଥିସହ ଯୋଗ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ଶୋଇବା, ଧୂମପାନ, କଫିନ୍ ଏବଂ ମଦ୍ୟପାନକୁ ନିୟନ୍ତ୍ରଣରେ ରଖିବା ଜରୁରୀ।
ମଧୁମେହ ଲକ୍ଷଣ
ମଧୁମେହ ହେଲେ କିଛି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଏ। ସେଥିମଧ୍ୟରୁ ବାରମ୍ବାର ଶୋଷ ଲାଗିବା ଓ ପରିସ୍ରା ହେବା, ଓଜନ ହ୍ରାସ, ଥକ୍କା, ମୁଣ୍ଡ ବୁଲାଇବା, ଅସ୍ପଷ୍ଟ ଦୃଷ୍ଟି ଇତ୍ୟାଦି। ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।




admin 