ଭଣ୍ଡାର କାନ୍ଥ ପଛରେ, ଚଟାଣ ତଳେ ତଳେ କଣ ରହିଛି ଯାଞ୍ଚ କରିବ ଜିପିଆର୍‌, ୧୮ ତାରିଖରେ ହେବ ସ୍କାନିଂ

ଭଣ୍ଡାର କାନ୍ଥ ପଛରେ, ଚଟାଣ ତଳେ ତଳେ କଣ ରହିଛି ଯାଞ୍ଚ କରିବ ଜିପିଆର୍‌, ୧୮ ତାରିଖରେ ହେବ ସ୍କାନିଂ

ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବାକୁ ଯାଉଛି ପରଦା। ଗୁପ୍ତକୋଠରୀ, ଗୁପ୍ତ ସୁଡଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପଡିବାକୁ ଯାଉଛି ପୂର୍ଣ୍ନଚ୍ଛେଦ। ଆସନ୍ତା 18 ତାରିଖରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ବା ଯାଞ୍ଚ କରାଯିବ । ଅତ୍ୟାଧୁନିକ ଞ୍ୟାନକୌଶଳ ପ୍ରୟୋଗ କରି ASI ଟେକ୍ନିକାଲ୍ ଟିମ୍ ରତ୍ନଭଣ୍ଡାରକୁ ଜିପିଆର ସର୍ଭେ କରିବେ। ରତ୍ନଭଣ୍ଡାର ଚଟାଣ ତଳେ, କାନ୍ଥ ପଛପଟେ କଣ କଣ ସବୁ ରହିଛି ଜିପିଆର ସର୍ଭେ ସବୁକିଛି ସ୍ପଷ୍ଟ କରିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ASI ଅତରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ କାର୍ଯ୍ୟ କରାଯିବା ବେଳେ ସରକାରଙ୍କ SOP ଅନୁସାରେ ଏହା ଅନୁଷ୍ଠିତ ହେବ। ସେପଟେ ଆସନ୍ତା 18 ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ କିଭଳି ପ୍ରଭାବିତ ନ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବିଶେଷ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ରାତ୍ର 2ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବା ପରେ ରାତି 3ଟାରେ ମଙ୍ଗଳ ଆଳତୀ, 3.30ରେ ମଇଲମ ଓ ତଡପଲାଗି, 4.30ରେ ଅବକାଶ,, ଇତ୍ୟାଦି ନୀତି ତ୍ୱରାନ୍ୱିତ ହୋଇ ସକାଳ 6.30ରେ ଗୋପାଳବଲ୍ଲଭ ପୂଜା, 7ଟାରୁ 8.30 ମଧ୍ୟରେ ସକାଳଧୂପ, 9ଟାରୁ 10.30 ମଧ୍ୟରେ ପ୍ରଥମ ଭୋଗମଣ୍ଡପ ଓ ଅପରାହ୍ନ 1ଟାରୁ 2ଟା ମଧ୍ୟରେ ପଛ ଭୋଗମଣ୍ଡପ ବା ଦ୍ୱିତୀୟ ଭୋଗମଣ୍ଡପ ଶେଷ କରିବାକୁ ନୀତିନିର୍ଘଣ୍ଟ ହୋଇଛି। ଅପରାହ୍ନ 2ଟାରୁ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି। ଅନ୍ୟପଟେ ଭକ୍ତମାନଙ୍କ ମହାପ୍ରସାଦ କ୍ରୟ ଉପରେ କୌଣସି ପ୍ରତିବନ୍ଧକ ରହିନଥିବା ବେଳେ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାରରେ ପ୍ରବେଶ କରି ବାଇଶିପାହାଚ ଦେଇ ଆନନ୍ଦବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତରଦୁଆର ପଟେ ପ୍ରସ୍ଥାନ କରିପାରିବେ। ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁଯାୟୀ ପୂର୍ବରୁ ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସିନ୍ଧୁକ ଓ ଆଲମିରା ମଧ୍ୟ ସ୍ଥାନାନ୍ତର ହୋଇଥିଲା। ତେବେ ଏଏସଆଇ ତରଫରୁ ରତ୍ନଭଣ୍ଡାର ଯାଞ୍ଚ ହେବାପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଓ ପରେ ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଅନୁଷ୍ଠିତ ହେବ।