ହଠାତ୍ ମାଡ଼ି ଆସିଲା ଝଡ଼ ତୋଫାନ, ଡଙ୍ଗା ବୁଡ଼ି ମହିଳା ମୃତ
ହଠାତ୍ ମାଡ଼ି ଆସିଲା ଝଡ଼ ତୋଫାନ, ଡଙ୍ଗା ବୁଡ଼ି ମହିଳା ମୃତ

ଚିତ୍ରକୋଣ୍ଡା: ଆକାତ କାତ ପାଣି ଭିତରେ ଡଙ୍ଗାଟି ଚାଲିଥିବା ବେଳେ ହଠାତ୍ ମାଡ଼ି ଆସିଲା ଝଡ଼ ତୋଫାନ। ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଜୀବନ ବଞ୍ଚି ଯାଇଛି। ଏଭଳି ଘଟଣା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାର ବାଲିମେଳା ଜଳଭଣ୍ଡାରରେ। ମୃତ ମହିଳା ଜଣଙ୍କ ହେଲେ ମୋତି ଗୋଲାରୀ।
ଅର୍ଜୁନ ଗୋଲାରୀ ଓ ତାଙ୍କ ପତ୍ନୀ ମୋତି ଦେଶୀ ଡଙ୍ଗା ସାହାଯ୍ୟରେ ଧାକଡ଼ପଦରରୁ ଯନ୍ତରୀ ଗାଁକୁ ଫେରୁଥିଲେ। ଅର୍ଜୁନ ନିଜେ ଡଙ୍ଗା ଚଲାଉଥିଲେ। ହଠାତ୍ ବାଲିମେଳା ଭଣ୍ଡାରରେ ଡଙ୍ଗାଟି ଯାଉଥିବା ବେଳେ ଝଡ଼ତୋଫାନ ମାଡ଼ି ଆସିଥିଲା। ଡଙ୍ଗା ଭିତରେ ପାଣି ପଶିଯାଇଥିଲା। ଶେଷରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ମୋତି ନିଖୋଜ ହୋଇଯାଇଥିଲା ବେଳେ ଅର୍ଜୁନ ପହଁରି ପହଁରି ଆସି କୂଳରେ ଲାଗିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଅର୍ଜୁନଙ୍କ ପତ୍ନୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳେ ଅଗ୍ନିଶମ କର୍ମଚାରୀ ମୋତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି।