"ମୋ ସରକାର'ରେ ସାମିଲ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ
"ମୋ ସରକାର'ରେ ସାମିଲ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ
admin
Jan 12, 2020 - 03:14
Updated: Jan 12, 2020 - 03:14
ଭୁବନେଶ୍ୱର - ପ୍ରତ୍ୟେକ ନାଗରିକ ହେଉଛନ୍ତି ମାଲିକ । ଉତ୍ତମ ସେବା ଯୋଗାଇବା ପ୍ରତ୍ୟେକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଗୁରୁ ଦାୟିତ୍ୱ । ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ "ମୋ ସରକାର' କାର୍ଯ୍ୟକ୍ରମରେ ସାମିଲ କରିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବା ଅବସରରରେ ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ଆଶା ପୂରଣ କରିବାରେ ବିଭାଗ ଯଥାରୀତି ସଫଳତା ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ବିଭାଗ ମୋ ସରକାରରେ ସାମିଲ ହୋଇଯିବ । ଦ୍ରୁତ ସହରୀକରଣ ସହ ତାଳ ଦେଇ ଆଧୁନିକ ଭିତ୍ତିଭୂମି ଓ ସହରାଞ୍ଚଳରେ ସୁବିଧା ସୁଯୋଗ ପହଞ୍ଚାଇବା ନେଇ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରୁଛି । ଏ ଦିଗରେ ସରକାର ଲୋକଙ୍କ ଆଶାବିଶ୍ୱାସ ମୁତାବକ ଆଗେଇ ଚାଲିଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ସହରାଞ୍ଚଳ ବାସିନ୍ଦାଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ହେଉକି ଜାଗା ମିସନ ଜରିଆରେ ଭୂମି ହୀନଙ୍କୁ ଜମି ପଟ୍ଟା ପ୍ରଦାନରେ ସରକାରଙ୍କୁ ସଫଳତା ମିଳିଛି । ୫୦ ହଜାର ପରିବାରକୁ ଜମି ପଟ୍ଟା ପ୍ରଦାନ କରାଯାଇଥିବାରୁ ନିକଟରେ ଜାଗା ମିସନ କାର୍ଯ୍ୟକ୍ରମକୁ ୱାର୍ଲଡ୍ ହାବିଟାଟ୍ ଆୱାଡର଼୍ ମିଳିଛି । ଭୁବନେଶ୍ୱରରେ ପ୍ରଥମ କରି କାର୍ଯ୍ୟକାରୀ ହେଉଥିବା ଦ ଡ୍ରିଙ୍କ୍ ଫ୍ରମ୍ ଟାପ୍ ମିସନ୍ ଏହି ବିଭାଗର ବଡ଼ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ବିଭାଗ ଆବଶ୍ୟକ କ୍ଷମତା ବୃଦ୍ଧି କରିବା ସହ ମୋ ସରକାରରେ ସାମିଲ ହେବା ପରେ ଲୋକଙ୍କୁ ଆହୁରି ତ୍ୱରିତ୍ ସେବା ପ୍ରଦାନ କରିବାରେ ସଫଳ ହେବ ।
ଏହି ଉପଲକ୍ଷେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ବିଭାଗ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସବୁ ଆହ୍ୱାନକୁ ସାମନାକୁ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏଥିପାଇଁ ସାଧାରଣ ଲୋକଙ୍କ ଅଭିଯୋଗ ଓ ମତାମତ ପାଇଁ ବିଭାଗ ପକ୍ଷରୁ "ମୋ ସରକାର' ସେଲ୍ କାର୍ଯ୍ୟକ୍ଷମ କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ବିଭାଗର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ "୫ଟି' ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ବିଭିନ୍ନ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମୋ ସରକାର କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ । ଏ ନେଇ ପାଟଣାଗଡ଼, ରାଇରଙ୍ଗପୁର, ବଣାଇ, ରାଜଗାଙ୍ଗପୁର, ଆଠମଲ୍ଲିକ, ତାଳଚେର, ଜୟପୁର ଏବଂ କବିସୂର୍ଯ୍ୟନଗର ପୌରନିଗମ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଶ୍ରୀ ପାଣ୍ଡିଆନ୍ ପ୍ରଶ୍ନ ପଚାରି ଲୋକଙ୍କ ଆପତ୍ତି ଅଭିଯୋଗର ପ୍ରତିବିଧାନ ନେଇ ପରାମର୍ଶ ଦେଇଥିଲେ । ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନ୍ କହିଥିଲେ ଯେ, ମୋ ସରକାର କାର୍ଯ୍ୟକ୍ରମ ପାଇଁ ୩୪୩ଟି କାର୍ଯ୍ୟାଳୟର ୫୦୦ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।