ବାଙ୍କୀ ନିର୍ବାଚନମଣ୍ଡଳୀର ହାଲଚାଲ

ବାଙ୍କୀ ନିର୍ବାଚନମଣ୍ଡଳୀର ହାଲଚାଲ

 ବାଙ୍କୀ ନିର୍ବାଚନମଣ୍ଡଳୀର ହାଲଚାଲ
କଟକ: ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀତ୍ୱ ନେଇ ଭୋଟର ସନ୍ଦିହାନ କରିଛନ୍ତି । ବର୍ତମାନ ବିଧାୟକ ଥିବା ପ୍ରଭାତ ତ୍ରିପାଠୀ ଜଣେ ପ୍ରଭାବଶାଳୀ ତଥା ଆଗ ଧାଡିର ନେତା । ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କର ଦୀର୍ଘଦିନର ପ୍ରତିନିଧିତ୍ୱ ରହିଛି । ତେବେ, ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ଜେଲ ଯିବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଭୋଟର ମାନେ ଅନ୍ଧାରରେ ରହିଛନ୍ତି । ଚଳିତ ନିର୍ବାଚନୀ ସେ ପ୍ରତିଦ୍ୱନ୍ଦିତା କରିବେ ନାହିଁ କିମ୍ବା ତାଙ୍କୁ ଦଳୀୟ ଟିକେଟ ମିଳିବ କି ନାହିଁ, ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଅରମ୍ଭ ହୋଇଛି । ଏହାର ସୁଯୋଗରେ ବିଜେଡିର ଅନ୍ୟ ଆଗଧାଡିର ନେତା ମାନେ ପ୍ରତିଦ୍ୱନ୍ଦିତା କରିବା ନେଇ ଆଶା ବାନ୍ଧିବା ଆରମ୍ଭ କରିଛନ୍ତି । ତେବେ, ବିଧାୟକ ଶ୍ରୀ ତ୍ରିପାଠୀଙ୍କ ପୁଅ ତଥା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଦେବୀରଂଜନ ତ୍ରିପାଠୀ ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ସ୍ୱର୍ଗତ ଘନଶ୍ୟାମ ସାହୁଙ୍କ ପୁଅ ଇଂ. ସବ୍ୟସାଚୀ ସାହୁ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦକ ବିଶ୍ୱରଂଜନ ମହାନ୍ତି ଏବଂ ବରିଷ୍ଠ ଶିକ୍ଷାବିତ ବୈଦ୍ୟନାଥ ରାଉତ । କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଡଃ, ଦେବାଶୀଷ ପଟ୍ଟନାୟକଙ୍କ ନାମ ପ୍ରମୁଖ ଚର୍ଚ୍ଚାରେ ଥିବାବେଳେ ତାଙ୍କର ବିକଳ୍ପଭାବେ ପୂର୍ବତନ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରନାଥ ମଲ୍ଲିକଙ୍କ ନାମକୁ ନେଇ ଆଲୋଚନା ହେଉଛି । ବିଜେପିରୁ ରାଷ୍ଟ୍ରିୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ, ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ଅଜୟ କୁମାର ସ୍ୱାଇଁ, ପଦ୍ମଜା ଦେବତା, ସୁବଳ ବେହେରା ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି । ତେବେ, ଆଗାମୀ ଦିନରେ ସବୁ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଏନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିବ ।