ପିଜି ଦ୍ବିତୀୟ ପର୍ୟ୍ୟାୟ ସ୍ପଟ୍ ନାମଲେଖା ଆବେଦନ ଆଜିଠୁ
ପିଜି ଦ୍ବିତୀୟ ପର୍ୟ୍ୟାୟ ସ୍ପଟ୍ ନାମଲେଖା ଆବେଦନ ଆଜିଠୁ
![ପିଜି ଦ୍ବିତୀୟ ପର୍ୟ୍ୟାୟ ସ୍ପଟ୍ ନାମଲେଖା ଆବେଦନ ଆଜିଠୁ](https://angikar.co.in/odia/news_gallery/21415_1639538917.jpeg)
ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ଖାଲିଥିବା ଆସନ ପାଇଁ ଦ୍ବିତୀୟ ପର୍ୟ୍ୟାୟ ତତ୍କାଳ(ସ୍ପଟ୍) ନାମଲେଖା ଅନୁଷ୍ଠିତ ହେବ। ଆଜି ଠାରୁ ତତ୍କାଳ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ।
ବିଭାଗ ଅଧୀନସ୍ଥ ୧୪ଟି ବିଶ୍ବବିଦ୍ୟାଳୟ ସମେତ ୫୯ଟି ମହାବିଦ୍ୟାଳୟରେ ତତ୍କାଳ(ସ୍ପଟ୍) ନାମଲେଖା ପାଇଁ ନିୟମାବଳୀ ଜାରି କରାଯାଇଛି। ଆବେଦନ ତାରିଖ ଓ ନିୟମାବଳୀ ସମ୍ବନ୍ଧରେ ସବୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ୧୫ ତାରିଖରୁ ତତ୍କାଳ ନାମଲେଖା ପାଇଁ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନ୍ଲାଇନ୍(ସଞ୍ଚାର ଜରିଆରେ) ଆବେଦନ କରିପାରିବେ। ୧୯ ତାରିଖ ରାତି ୧୧ଟା୪୫ ପର୍ୟ୍ୟନ୍ତ ବିଦ୍ୟାର୍ଥୀ ସାମ୍ସ ୱେବ୍ସାଇଟ୍କୁ ଯାଇ ନୂତନ ଭାବେ କମନ ଆପ୍ଲିକେସନ୍ ଫର୍ମ(ସିଏଏଫ) ଦାଖଲ କରିପାରିବେ। ୨୨ ତାରିଖରେ ଖାଲିଥିବା ଆସନ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୨୨ରୁ୨୪ ତାରିଖ ମଧ୍ୟରେ ଇଣ୍ଟିମେସନ୍ ଲେଟର(ଆମନ୍ତ୍ରଣ ପତ୍ର) ସଂଗ୍ରହ କରିବା ସହ ଦେୟ ଦାଖଲ କରିପାରିବେ। ୨୩ରୁ୨୪ ମଧ୍ୟରେ ଆବଶ୍ୟକ କାଗଜପତ୍ର ସଂପୃକ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଯାଞ୍ଚ ହେବା ସହ ନାମଲେଖା ଅନୁଷ୍ଠିତ ହେବ। ୨୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ଇ-ସ୍ପେସ୍ରେ ଦାଖଲ କରିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ।