ଖୁଚୁରା ବେପାରୀଙ୍କ ଉପରୁ ହଟିଲା କଟକଣା

ଖୁଚୁରା ବେପାରୀଙ୍କ ଉପରୁ ହଟିଲା କଟକଣା

ଭୁବନେଶ୍ୱର: ଏଣିକି ଖୁଚୁରା ତେଜରାତି ଦୋକାନୀମାନେ ବାଇକରେ ମାଲ ପରବିହନ କରିପାରିବେ । ପୂର୍ବରୁ ଏମାନଙ୍କ ଉପରେ ଲାଗୁ ହୋଇଥିବା ପୁଲିସ କଟକଣାକୁ ହଟାଇ ଦିଆଯାଇଛି । ଏବେ ଏମାନେ ନିଜ ଅଞ୍ଚଳର ଥାନା କିମ୍ବା ଫାଣ୍ଡିରୁ ପାସ ସଂଗ୍ରହ କରି ନିଜ ବାଇକ ଯୋଗେ ମାଲ ପରିବହନ କରିପାରିବେ । ତେଣୁ ଏବେ ଉଭୟ ଖୁଚୁରା ବେପାରୀ ଓ ଗରିବ ଖାଉଟିମାନେ ଦରବୃଦ୍ଧି ଆଶଙ୍କାରୁ ଆଶ୍ୱସ୍ତ ହୋଇଛନ୍ତି । ତାଲାବନ୍ଦ ବା ଲକଡାଉନ ପରଠାରୁ ଖୁଚୁରା ତେଜରାତି ବେପାରୀମାନଙ୍କୁ ବାଇକରେ ମାଲ ପରିବହନ କରିବାକୁ ଦିଆଯାଇନଥିଲା । ପରିବା ଓ ମାଛ ବେପାରୀମାନେ ବାଇକରେ ମାଲ ନେବା ଆଣିବା କରୁଥିଲେ ହେଁ ଖୁଚୁରା ତେଜରାତି ଦୋକାନୀଙ୍କ ଉପରେ ପୁଲିସ କଟକଣା ଲାଗୁ କରିଥିଲା । ଫଳରେ କେହି ପାଇକାରୀ ଦୋକାନକୁ ବା ହାଟକୁ ବାଇକରେ ଯାଇ ବାଟରେ ପୁଲିସ ହାତରେ ଧରାପଡ଼ି ଜରିମାନା ଦେଉଥିଲେ । ଗାଳିମନ୍ଦ ସାଙ୍ଗକୁ ପୁଲିସ ପିଟା ବି ଖାଉଥିଲେ । ତେଣୁ ବାଧ୍ୟ ହୋଇ ସେମାନେ ଟାଟା ଏସ ବା ମାଲବାହୀ ଅଟୋ ଭଡ଼ା କରି ମାଲ ପହିବହନ କରୁଥିଲେ । ଛୋଟ ଛୋଟ ଦୋକାନୀମାନେ କମ ପରିମାଣର ମାଲ ଅଧିକ ଅଟୋ ଭଡ଼ା ଦେଇ ଆଣିବା ପରେ ଉକ୍ତ ଭଡ଼ାକୁ ଖାଉଟିଙ୍କ ଉପରେ କଷିଲେ । ଫଳରେ ଦର ବୃଦ୍ଧି ହେଲା ।