କଳ୍ପନା ଚାୱଲାଙ୍କ ପରେ ସିରିଶା ବାନ୍ଦଲା ହେବେ ଦ୍ୱିତୀୟ ଭାରତ ଜନ୍ମିତ ଆମେରିକୀୟ ମହାକାଶଚାରୀ

କଳ୍ପନା ଚାୱଲାଙ୍କ ପରେ ସିରିଶା ବାନ୍ଦଲା ହେବେ ଦ୍ୱିତୀୟ ଭାରତ ଜନ୍ମିତ ଆମେରିକୀୟ ମହାକାଶଚାରୀ

 କଳ୍ପନା ଚାୱଲାଙ୍କ ପରେ ସିରିଶା ବାନ୍ଦଲା ହେବେ ଦ୍ୱିତୀୟ ଭାରତ ଜନ୍ମିତ ଆମେରିକୀୟ ମହାକାଶଚାରୀ

ନୂଆଦିଲ୍ଲୀ: ଭାରତ ଜନ୍ମିତ ଆଉ ଜଣେ ମହିଳା ଚଳିତମାସ ୧୧ ତାରିଖରେ ଅନ୍ତରୀକ୍ଷକୁ ଯାତ୍ରା କରିବେ । କଳ୍ପନା ଚାୱଲାଙ୍କ ପରେ ସେ ହେବେ ଦ୍ୱିତୀୟ ଭାରତ ଜନ୍ମିତ ଆମେରିକୀୟ ମହାକାଶଚାରୀ । ଆନ୍ଧପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜନ୍ମିତ ସିରିଶାଙ୍କ ବୟସ ଏବେ ୩୪ ବର୍ଷ । ରିଚାର୍ଡ ବ୍ରାନସନଙ୍କ ଦ୍ୱାରା ସ୍ଥାପିତ କମ୍ପାନି ଭର୍ଜିନ ଗାଲାକ୍ଟିକର ମହାକାଶ ଯାନ ‘ଭିଏସଏସ ୟୁନିଟି’ରେ ମହାକାଶକୁ ଯାତ୍ରା କରିବା ପାଇଁ ସିରିଶା ସାମିଲ ହୋଇଛନ୍ତି । ଉକ୍ତ ମହାକାଶ ଯାତ୍ରା ପାଇଁ କମ୍ପାନି ପକ୍ଷରୁ ଅବଗଣନା ଆରମ୍ଭ ହୋଇଯାଇଛି । ମୋଟ ୬ ଜଣଙ୍କୁ ନେଇ ଯାନଟି ମହାକାଶକୁ ଯିବ । ସେମାନଙ୍କ ମଧ୍ୟରେ ସିରିଶା ଓ ଅନ୍ୟ ଜଣେ ମହିଳା ମହାକାଶଚାରୀ ମଧ୍ୟ ରହିବେ । ଭିଏସଏସ ୟୁନିଟି ମହାକାଶଯାନ ନୁ୍ୟ ମେକ୍ସିକୋରୁ ମହାକାଶକୁ ଯାତ୍ରା କରିବ । ସିରିଶା ଭର୍ଜିନ ଗାଲାକ୍ଟିକର ଉପସଭାପତି ଭାବେ ରିସର୍ଚ୍ଚ ଅପରେସନ୍ ଏବଂ ସରକାରୀ ବ୍ୟାପାର ବିଷୟ ବୁଝୁଛନ୍ତି । ଗୁଣ୍ଟୁରର ମାନାରଗୁଡ଼ିରେ ସେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ଆମେରିକାର ପ୍ରୁଡୁ୍ୟ ବିଶ୍ୱବିଦ୍ୟାଳୟରୁ ଏରୋନଟିକାଲ ଇଞ୍ଜିନିୟରିଂରେ ସ୍ନାତକ ଏବଂ ଜର୍ଜ ଟାଉନ୍ ବିଶ୍ୱବିଦ୍ୟାୟରୁ ଏମବିଏ ଡିଗ୍ରି ହାସଲ କରିଛନ୍ତି । ଆମେରିକାରେ ତାଙ୍କର ନିଜ ସହର ହୁ୍ୟଷ୍ଟନ୍ ହୋଇଥିବା ବେଳେ ସେ ଏବେ ନୁ୍ୟ ମେକ୍ସିକୋରେ ରହୁଛନ୍ତି । ମହାକାଶ ଯାନ ଉଡ଼ାଣ ସମୟରେ ସିରିଶା ହୁ୍ୟମାନ ଟେଣ୍ଡେଡ ରିସର୍ଚ୍ଚ ଏକ୍ସପେରିଏନ୍ସ ଦାୟିତ୍ୱରେ ରହିବ । ମହାକାଶ ଯାତ୍ରା ସମୟରେ ମହାକାଶଚାରୀଙ୍କ ଯାତ୍ରା ଅନୁଭୂତି ତାଙ୍କୁ ଜାଣିବାକୁ ମିଳିବ । ପିଲାବେଳୁ ମହାକାଶ ସଂପର୍କରେ ଜାଣିବା ଲାଗି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା । ରକେଟ୍ ଏବଂ ମହାକାଶ ଯାନ ତାଙ୍କୁ ରୋମାଞ୍ଚିତ କରୁଥିଲା । ଏଥିରୁ ସେ ମହାକାଶଚାରୀ ହେବା ଲାଗି ପ୍ରେରଣା ପାଇଥିଲେ । ଉଲ୍ଲେଖଯୋଗ୍ୟ, ହରିୟାଣାର କର୍ଣ୍ଣଲରେ ଜନ୍ମିତ କଳ୍ପନା ଚାୱଲା ପ୍ରଥମ ଭାରତ ଜନ୍ମିତ ମହାକାଶଚାରୀ । ଆମେରିକାରୁ ସେ ମହାକାଶକୁ ଯାତ୍ରା କରିଥିଲେ । କିନ୍ତୁ ଯାନଟି ପୃଥିବୀ ପୃଷ୍ଠରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଧ୍ୱଂସ ହୋଇଯାଇଥିଲା । ଏଥିରେ ସେ ମୃତୁ୍ୟବରଣ କରିଥିଲେ ।