କନ୍ଧମାଳ ଲୋକସଭା ଆସନ

କନ୍ଧମାଳ ଲୋକସଭା ଆସନ

 କନ୍ଧମାଳ ଲୋକସଭା ଆସନ
ଓଡିଶାର ପଛୁଆ ଜିଲ୍ଲା ହେଲେ ବି ରାଜନୀତି ଫୋକସ୍ ରେ ରହିଛି କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ । ଏଥର ମଇଦାନରେ ୫ ପ୍ରାର୍ଥୀ । କିନ୍ତୁ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ , ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ନିଶ୍ଚିତ ହୋଇଛି । ସମସ୍ତେ ସମସ୍ତଙ୍କ ବାଟ ଓଗାଳିବାକୁ ପ୍ରସ୍ତୁତ କରିଛନ୍ତି ଗେମ୍ପ୍ଳାନ୍ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମନୋଜ ଆଚାର୍ଯ୍ୟ । ମାଟି ପୁଅ ସ୍ଳୋଗାନ୍ ନେଇ ସେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ । ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁ ରାଜନୀତିରେ ମାହିର । ବାଲେଶ୍ୱର ଜିଲ୍ଲାରୁ ଆସିଥିଲେ ମଧ୍ୟ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି ଓ ପୂର୍ବରୁ କନ୍ଧମାଳ ଜିଲ୍ଲା ସେ ସହ ପରିଚିତ । ବିଜେଡି ପ୍ରାର୍ଥୀ ଅଚୁତ୍ୟ ସାମନ୍ତ ମଧ୍ୟ ବାହାର ଜିଲ୍ଲାର । ରାଜ୍ୟସଭା ସାଂସଦରୁ ପୁଣି ଲୋକସଭା ଆସନରୁ ପ୍ରାର୍ଥୀ । ତିନିଟି ଜିଲ୍ଲାର ୭ ବିଧାନସଭା ଆସନକୁ ନେଇ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ । କନ୍ଧମାଳ ଜିଲ୍ଲାର ତିନିଟି ବିଧାନସଭା ଆସନ ଫୁଲବାଣୀ ,ଜି.ଉଦୟଗିରି ଓ ବାଲିଗୁଡା, ବୌଦ୍ଧ ଓ କଂଟାମାଳ, ନୟାଗଡ ଜିଲ୍ଲାର ଦଶପଲ୍ଲା ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ ଏଥିରେ ଅନ୍ତର୍ଭୁକ୍ତ । ସବୁଠି ଭିନ୍ନ ରାଜନୈତିକ ସ୍ଥିତି ।କନ୍ଧମାଳ ଲୋକସଭା ଆସନ ଏଥିରେ ଅନ୍ତର୍ଭୁକ୍ତ ।ସବୁଠି ଭିନ୍ନ ରାଜନୈତିକ ସ୍ଥିତି । କନ୍ଧମାଳ ଲୋକସଭା ଆସନ ଅଣକଂଗ୍ରେସ ଦାଖଲରେ ରହି ଆସିଛି । ପ୍ରଥମେ ୧୯୫୨ରେ ରାୟଗଡା ଫୁଲବାଣୀ ଆସନ ଭାବେ ପରିଚିତ ଥିଲା । ନିଖିଳ ଉତ୍କଳ ଆଦିବାସୀ କଂଗ୍ରେସରୁ ଟି. ସଜ୍ଞାନ ସାଂସଦ ନିର୍ବାଚିତ ହୋଇଥିଲେ । ୧୯୫୭ରେ ଉଚ୍ଚେଦ ହୋଇଥିଲେ ଏହି ଆସନ । ପୁଣି ୧୯୬୨ରେ ଫୁଲବାଣୀ ଆସନ ଗଠିତ ହୋଇଥିଲା । ସେତେବେଳଠାରୁ ୧୯୬୭ଓ ୧୯୭୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପାର୍ଟି ପ୍ରାର୍ଥୀ ନିର୍ବାଚନ ଜିଣି ଆସିଥିଲେ । ୧୯୭୭ରେ ଜନତା ପାର୍ଟି ଅକ୍ତିଆର କରିବା ପରେ ୧୯୮୦, ୧୯୮୪ରେ କଂଗ୍ରେସ, ୧୯୮୯ରେ ଜନତା ଦଳ, ପୁଣି ୧୯୯୧ ଓ ୧୯୯୬ରେ କଂଗ୍ରେସ ପ୍ରାର୍ଥି ଏହି ଆସନ ହାତେଇଥିଲେ । ୧୯୯୮ ମଧ୍ୟବର୍ତିକାଳୀନ ନିର୍ବାଚନ ପରଠାରୁ ୧୯୯୯,୨୦୦୪,୨୦୦୯ ଓ ୨୦୧୪ରେ ବିଜେଡି ଦଖଲରେ ରହିଛି କନ୍ଧମାଳ ଲୋକସଭା ଆସନ । ଏହି ଆସନ ବିଜେଡି ପାଇଁ ସୁବିଧାଜନକ ସ୍ଥିତିରେ ଥିବା ମନେ ହେଉଥିବାବେଳେ ଏଥର କିନ୍ତୁ ପାର୍ଥିତ୍ୱକୁ ବିଚାରକୁ ନେଲେ ରାସ୍ତା ସେତେଟା ସହଜ ମନେ ହେଉନି । ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଘରେ ନପଶୁଣୁ ଚାଳ ବାଜିବା ଭଳି ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ବାହାର ଲୋକଙ୍କୁ ପ୍ରାର୍ଥୀ ନକରିବାକୁ ପ୍ରତି କୋଣଅନୁକୋଣରୁ ବିରୋଧ ହୋଇଥିଲେ । ବିଜେଡି କର୍ମୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଜଣେ ସ୍ଥାନୀୟ ପ୍ରତିନିଧିଙ୍କୁ ଲୋକସଭା ସାଂସଦ ଭାବେ ଦେଖିବାକୁ ଚାହିଁଥିଲେ ଲୋକ । କିନ୍ତୁ ସାଧାରଣ ଲୋକଙ୍କ ଏହି ଭାବାବେଗକୁ ସ୍ୱୀକୃତି ମିଳିନି । ବିଜେଡି ପ୍ରାର୍ଥୀ ଲଦି ଦିଆଯାଇ ଥିବାରୁ ଏବେ ବି ଚାପା ଅସନ୍ତୋଷ ଲାଗି ରହିଛି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ବିଜେଡି ଜିଲ୍ଲା କର୍ମକର୍ତା ପ୍ରାର୍ଥୀଙ୍କ ସହିତ ରହିଛନ୍ତି । କିନ୍ତୁ କେତେଦୂର ଆନ୍ତରିକତାର ସହ କାମ କରିବେ ତାହା ନିର୍ବାଚନ ପ୍ରଚାର ଆରମ୍ଭ ହେବା ପରେ ସ୍ପଷ୍ଟ ହେବ । ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଶନିବାରଠାରୁ ଆରମ୍ଭ ହେବ ବିଧିବଦ୍ଧ ପ୍ରଚାର । ୨୦୧୪ ଏପ୍ରିଲରେ ସାଧାରଣ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ହେମେନ୍ଦ୍ର ଚନ୍ଦ୍ର ସିଂ ୧ ଲକ୍ଷ ୮୧ ହଜାର ୦୧୭ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ହରିହର କାଣ୨,୪୦,୪୪୧ ଭୋଟ ପାଇଥିଲେ ବେଳେ ବିଜେଡି ପ୍ରାର୍ଥୀ ସିଂହ ୪,୨୧,୪୫୮ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ସୁକାନ୍ତ ପ୍ରାଣିଗ୍ରାହୀ ତୃତୀୟ ସ୍ଥାନରେ ରହି ୧,୦୮,୭୪୪ ଭୋଟ ପାିଥିଲା । କିନ୍ତୁ ହେମେନ୍ଦ୍ର ସିଂହଙ୍କ ଆକସ୍ମିକ ବିୟୋଗ ଯୋଗୁଁ ୬ ମାସ ପରେ ୨୦୧୪ ଅକ୍ଟୋବରରେ ଉପନିର୍ବାଚନ ହୋଇଥିଲା । ହେମେନ୍ଦ୍ରଙ୍କ ପତ୍ନୀ ପତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ପ୍ରତୁଷା ୪,୭୭,୫୨୯ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ଅନ୍ତଃସ୍ରୋତ ସତ୍ୱେ ବିଜେପି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇ ୧ ଲକ୍ଷ ୭୮,୬୬୧ ଭୋଟ ପାଇଥିଲେ । ପୂର୍ବରୁ ତିନି ଥର ସାଂସଦ ନିର୍ବାଚିତ ମୃତ୍ୟୁଞ୍ଜୟ ନାୟକଙ୍କ ନାମାଙ୍କନ ନାକଚ ପରେ ତାଙ୍କର ପରବର୍ତୀ ପଦକ୍ଷେପ ଉପରେ ରହିଛି ନଜର । ଏହି ଆସନ ଲାଗି ବିଜେଡି ଟିକେଟରୁ ପ୍ରତ୍ୟୁଷା ବଂଚିତ ହେବା ପରେ ଅସନ୍ତୋଷ ପ୍ରକାଶ କରି ଏବେ ବିଜେପିରେ ସାମିଲ ହୋଇଛନ୍ତି ।