କଂଗ୍ରେସରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ କିଶୋର
କଂଗ୍ରେସରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ରାହୁଲଙ୍କ ବାସଭବନରେ ହୋଇଥିବା ବୈଠକରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ବୈଠକ ପରେ ପ୍ରଶାନ୍ତ କିଶୋର ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତକାଲି ରାହୁଲ, ପ୍ରିୟଙ୍କାଙ୍କ ସହ ବୈଠକରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବା ପ୍ରସଙ୍ଗ ପ୍ରଶାନ୍ତ ଉଠାଇଥିବା ଚର୍ଚ୍ଚା ହେଉଛି । ବୈଠକରେ ପଂଜାବ ଏବଂ ଉତ୍ତରପ୍ରଦେଶ ନିର୍ବାଚନ ସମେତ ଜାତୀୟ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଛି । କିଛି ବଡ଼ ଲକ୍ଷ୍ୟ ରଖି କଂଗ୍ରେସ ପ୍ରଶାନ୍ତ କିଶୋରଙ୍କୁ ଦଳକୁ ଆଣିବାକୁ ଚେଷ୍ଟା ଚଳାଇଛି ବୋଲି କୁହାଯାଉଛି । କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଏବଂ ପ୍ରଶାନ୍ତ କିଶୋରଙ୍କୁ ନେଇ ଆଗାମୀ ଦିନରେ କିଛି ବଡ଼ ଘୋଷଣା କରିପାରୋ । ନିକଟରେ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିଥିବା ପ୍ରଶାନ୍ତ କିଶୋର ମଧ୍ୟ ନିର୍ବାଚନୀ ରଣନୀତିଜ୍ଞ ଭୂମିକା ଛାଡ଼ିଦେବେ ବୋଲି ସୂଚନା ଦେଇଥିଲେ । ଗଣମାଧ୍ୟମରେ ସାକ୍ଷାତକାର ଦେଇ ପ୍ରଶାନ୍ତ କିଶୋର କହିଥିଲେ, ଏବେ ନିଜେ କିଛି କରିବାର ସମୟ ଆସିଛି । ତେଣୁ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।




admin 