ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ
ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ
admin
Jan 13, 2021 - 07:33
Updated: Jan 13, 2021 - 07:33
ଭୁବନେଶ୍ୱର: ନିଜର ନିଆରା କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଏକ ନୂଆ ଘୋଷଣା କରିଛନ୍ତି । ତେବେ ବିଏମସିର କାର୍ଯ୍ୟାନୁଷ୍ଠାନ ଚୋତବନୀ ପରେ ଅପରାଜିତା ଏହି ଘୋଷଣା କରିଛନ୍ତି । ଏବେ ଅନ୍ନପୂର୍ଣ୍ଣା ଯୋଜନା ଅଧିନରେ ମାଗଣାରେ ନୁହେଁ ବରଂ ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ହେବ। ଏ ନେଇ ଆଜି ଘୋଷଣା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମସିର ବିଜ୍ଞପ୍ତି ପରେ ଅପରାଜିତା ଷଡଙ୍ଗୀ ଏଭଳି ସୂଚନା ଦେଇଛନ୍ତି। ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁଆରି ୮ରେ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣାକୁ ଲୋକାର୍ପିତ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ବିଏମସିର ନୂଆ ବିଜ୍ଞପ୍ତି ଅନୁଯାୟୀ, ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟନ୍ତୁ । ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି । ଏପରି ନକଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି ।
ପ୍ରକାଶ ଯେ, ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି କଡା କଟକଣା ଲଗାଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପରେ ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ୧ଟଙ୍କାରେ ଖାଦ୍ୟ ଯୋଗାଇଦିଆଯିବ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।