୭୦ ପ୍ରତିଶତ ମତଦାନ
୭୦ ପ୍ରତିଶତ ମତଦାନ
ଭୁବନେଶ୍ୱର: ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । କେବଳ କିଛି ସ୍ଥାନରେ ଗଣ୍ଡଗୋଳ ନେଇ ଖବର ଆସିଥିବାବେଳେ, ଆଗକୁ ଯେପରି ଏହାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି । ପୋଲିସ ଡିଜିଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଛି । ହେଲେ ଆଗକୁ ଏହି ସଂଖ୍ୟା ବଢି ମଧ୍ୟ ପାରେ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ବୁଧବାର ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ସରିବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ସେ କହିଛନ୍ତି ମୋଟ ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ନିର୍ବାଚନ ହୋଇଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ଡୁଣ୍ଡାମେଲା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୧୧ରେ ବିଶେଷ କାରଣରୁ ନିର୍ବାଚନ ହୋଇନାହି । ଏହା ସହିତ ଢେଙ୍କାନାଳର ୩ଟି ବୁଥ୍, ଯାଜପୁରର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିବେ ।




admin 