୩୦ ଲୋକଙ୍କୁ ହତ୍ୟା କରି ଜାଳିଦେଲା ସେନା

୩୦ ଲୋକଙ୍କୁ ହତ୍ୟା କରି ଜାଳିଦେଲା ସେନା

୩୦ ଲୋକଙ୍କୁ ହତ୍ୟା କରି ଜାଳିଦେଲା ସେନା

କାୟାହ: ଯୁଦ୍ଧ କ୍ଷତିଗ୍ରସ୍ତ ମିଆଁମାର୍ର କାୟାହ ପ୍ରଦେଶରେ ସେନା ବାହିନୀ ୩୦ରୁ ଅଧିକ ଲୋକଙ୍କୁ ଗୁଳି କରି ହତ୍ୟା କରିବା ପରେ ସେମାନଙ୍କୁ ଜାଳିଦେଇଛି। ଏଥିସହ କିଛି ଟ୍ରକ୍ ଓ କାର୍ରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ମଧ୍ୟ ରହିଛନ୍ତି।

ସ୍ଥାନୀୟ ମାନବାଧିକାର ସଂଗଠନ ପକ୍ଷରୁ ଟ୍ରକ୍, କାର ଓ ମୃତଦେହ ଜଳୁଥିବାର ଫଟୋକୁ ଶେୟାର କରାଯାଇଛି। ମିଆଁମାରରେ ସେନା ବଳପୂର୍ବକ କ୍ଷମତା ଦଖଲ କରି ନିଜର ଏକଛତ୍ରବାଦୀ ଶାସନ ଜାରି ରଖିଛି। ଏହାକୁ ବିଭିନ୍ନ ଗାଁରେ ବିରୋଧ କରାଯାଉଛି। ଏହିକ୍ରମରେ କାୟାହର ମୋ ସୋ ଗାଁର ଲୋକମାନେ ମଧ୍ୟ ସେନାର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି।

ହେଲେ ଶୁକ୍ରବାର ରାତିରେ ସେନା ପକ୍ଷରୁ ଗାଁର ୩୦ରୁ ଅଧିକ ଲୋକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଏମାନଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ଥିଲେ ମଧ୍ୟ ସେନା ଯବାନ କିଛି ଶୁଣି ନଥିଲେ। ସମସ୍ତଙ୍କୁ ହତ୍ୟା କରିବା ପରେ ସେହିଠାରେ ହିଁ ଜାଳି ଦେଇଥିଲେ। ସେମାନେ ବ୍ୟବହାର କରୁଥିବା ଟ୍ରକ୍ ଓ କାର୍ରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ ସେନା ପକ୍ଷରୁ କୁହାଯାଇଛି ଯେ ଆମେ ସଂଖ୍ୟାଧିକ ଅସ୍ତ୍ରଶସ୍ତ୍ରରେ ଖଚିତ ଆତଙ୍କବାଦୀଙ୍କୁ ହତ୍ୟା କରିଛୁ। ସେମାନେ ଉକ୍ତ ଗାଁରେ ରହି ସେନା ଶାସନ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ। ଏହି ଲୋକମାନେ ୭ଟି ଗାଡ଼ିରେ ଥିଲେ। ସେମାନଙ୍କୁ ଯବାନମାନେ ଯାଞ୍ଚ ପାଇଁ ଅଟକାଇ ଥିଲେ ହେଁ ସେମାନେ କିଛି ବି ଶୁଣି ନଥିଲେ। ଫଳରେ ସେମାନଙ୍କୁ ଗୁଳି କରି କରାଯାଇଛି।