ଟ୍ରେନ୍ ଧକ୍କାରେ ୨ ହାତୀ ମୃତ
ଟ୍ରେନ୍ ଧକ୍କାରେ ୨ ହାତୀ ମୃତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ନିକଟରେ ଟ୍ରେନ୍ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ଗୋଟିଏ ହାତୀର ମୃତଦେହ ଭୂଷଣ୍ଡପୁର ନିକଟରେ ରେଳଧାରଣାରେ ମିଳିଥିବା ବେଳେ ଆଉ ଗୋଟିଏର ମୃତଦେହ ସେଠାରୁ ପ୍ରାୟ ୫୦୦ ମିଟର ଦୂରରେ ପଡ଼ିଥିଲା।
ଗତକାଲି ରାତିରେ ୮ଟି ହାତୀ ଏଠାରେ ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ ଟ୍ରେନ୍ ଧକ୍କା ଦେଇଥିଲା। ଟ୍ରେନ୍ ଧକ୍କାରେ ୨ଟି ହାତୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଆହତ ହାତୀଟି ଛୋଟାଇ ଛୋଟାଇ ସେଠାରୁ ଚାଲି ଯାଇଥିଲା। ତେବେ ତା’ର ବି ମୃତ୍ୟୁ ଘଟିଛି।
ଏହି ଘଟଣା ପାଇଁ ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି। ସେମାନେ କହିଛନ୍ତି ଯେ ଏ ଅଞ୍ଚଳରେ ବହୁ ଦିନ ହେଲାଣି ହାତୀ ଅଛନ୍ତି। ବନ ବିଭାଗକୁ ଏ ସଂପର୍କରେ ଅବଗତ କରାଯିବା ସତ୍ତ୍ୱେ ସେମାନ କିଛି ପଦକ୍ଷେପ ନିଆଯାଇ ନାହିଁ। ଏମିତିକି ବନ ବିଭାଗ ଓ ରେଳବାଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଚିତ୍ ସମନ୍ୱୟ ନ ରହିବା କାରଣରୁ ଏହି ଅଘଟଣ ଘଟିଥିବା କୁହାଯାଉଛି।
ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଖୋର୍ଦ୍ଧା ଏସିଏଫ୍ ଅସିତ କୁମାର ମିଶ୍ର କହିଛନ୍ତି ଯେ ମାସେ ହେଲା ହାତୀମାନେ ଏ ଅଞ୍ଚଳରେ ଅଛନ୍ତି। ଏହି ଘଟଣା ପାଇଁ କାହାକୁ ଦାୟୀ କରାଯିବ ତାହା ତଦନ୍ତ ପରେ ଜଣାପଡ଼ିବ।




admin 