୨.୭ କୋଟି ଯୁବକ ଯୁବତୀ ହରାଇଛନ୍ତି ଚାକିରି
୨.୭ କୋଟି ଯୁବକ ଯୁବତୀ ହରାଇଛନ୍ତି ଚାକିରି
admin
May 13, 2020 - 10:14
Updated: May 13, 2020 - 10:14
ନୂଆଦିଲ୍ଲୀ: କରୋନା ସଂକଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକଡାଉନ ଦେଶରେ ବେକାରିଙ୍କ ସଂଖ୍ୟା ବଢ଼ାଇଛି । ଗତ ଏପ୍ରିଲରେ ଦେଶର ୨.୭ କୋଟି ଯୁବକ ଯୁବତୀଙ୍କ ଚାକିରି ଚାଲିଯାଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଏହି ସୂଚନା ଦେଇଛି । କୋଡିଏରୁ ତିରିଶ ବର୍ଷ ବୟସର ଅଧିକାଂଶ ଯୁବକ ଯୁବତୀ ଚାକିରି ହରାଇଥିବା ଜଣାପଡ଼ିଛି ।
ସିଏମଆଇଇର ସାପ୍ତାହିକ ରିପୋର୍ଟ ଅନୁଯାୟୀ, ଲକଡାଉନର ତୃତୀୟ ପର୍ଯ୍ୟାୟରେ କଟକଣାକୁ କିଛିଟା କୋହଳ କରାଯିବା ପରେ ବେକାର ହୋଇଥିବା ଲୋକଙ୍କ ସଂଖ୍ୟା କମିଛି । ଲକଡାଉନ ସମୟରେ ବେକାରି ହାର ୨୭.୧ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମେ ୧୦ ସୁଦ୍ଧା ଏହି ହାର ୨୪ ପ୍ରତିଶତକୁ ହ୍ରାସ ପାଇଛି । ଅର୍ଥାତ ବେକାର ହୋଇ ବସି ରହିଥିବା କିଛି ଲୋକ ପୁଣି କର୍ମକ୍ଷେତ୍ରକୁ ଫେରିବାକୁ ବେକାରି ହାର କମିଛି । ସେହିପରି ଶ୍ରମ ବଜାରରେ ଭାଗ ନେଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଏହି ସମୟରେ ୩୭.୬ ପ୍ରତିଶତକୁ ବୃଦ୍ଧି ପାଇଛି ।ଦେଶର ବିଭିନ୍ନ ସ୍ଥାନରେ କଳକାରଖାନାଗୁଡ଼ିକ ଖୋଲୁଥିବାରୁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲକଡାଉନ ସମୟରେ ଶ୍ରମ ବଜାରରେ ଶ୍ରମିକଙ୍କ ଅଂଶଗ୍ରହଣ ହାର ୩୬.୨ ପ୍ରତିଶ୍ରତକୁ ହ୍ରାସ ପାଇଥିଲା । ନିଯୁକ୍ତି ହାର ମଧ୍ୟ ଏହି ସମୟରେ ୨୬.୪ ପ୍ରତିଶତକୁ ବୃଦ୍ଧି ପାଇ ୨୮.୬ ପ୍ରତିଶତ ହୋଇଛି । ଦେଶରେ ନିଯୁକ୍ତି ହରାଇଥିବା ଯୁବପିଢ଼ିଙ୍କ ମଧ୍ୟରୁ ୧୧ ପ୍ରତିଶତଙ୍କ ବୟସ ୨୦-୨୪ ବର୍ଷ ଭିତରେ ରହିଛି ।