୨୦୧୯ ତୁଳନାରେ ୨୦୨୦ରେ କମ ନକ୍ସଲ ହିଂସାକାଣ୍ଡ ଘଟିଛି : ଜାଣନ୍ତୁ କେତେ ନକ୍ସଲ ମରିଛନ୍ତି
୨୦୧୯ ତୁଳନାରେ ୨୦୨୦ରେ କମ ନକ୍ସଲ ହିଂସାକାଣ୍ଡ ଘଟିଛି : ଜାଣନ୍ତୁ କେତେ ନକ୍ସଲ ମରିଛନ୍ତି
admin
Feb 3, 2021 - 07:21
Updated: Feb 3, 2021 - 07:21
ନୂଆଦିଲ୍ଲୀ: ୨୦୧୯ ତୁଳନାରେ ୨୦୨୦ରେ କମ ନକ୍ସଲ ହିଂସାକାଣ୍ଡ ଘଟିଛି । ଗତବର୍ଷ ସୁରକ୍ଷା ବାହିନୀର ଏନକାଉଟଂରରେ ୧୦୩ ନକ୍ସଲ ପ୍ରାଣ ହରାଇଛନ୍ତି । ସେହିଭଳି ଗତବର୍ଷ ୧୧୧୦ ନକ୍ସଲଙ୍କୁ ଗିରଫ କରାଯାଇଛି । ୮ଟି ରାଜ୍ୟରେ ନକ୍ସଲ ହିଂସା ଦେଖିବାକୁ ମିଳିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଦିଆଯାଇଥିବା ତଥ୍ୟ ଅନୁସାରେ ସମଗ୍ର ଦେଶରେ ୨୦୨୦ରେ ୬୬୫ଟି ନକ୍ସଲ ହିଂସାକାଣ୍ଡ ଘଟିଛି । ଏଥିରେ ୪୩ ଜଣ ଯବାନ ସହିଦ ହୋଇଛନ୍ତି । ୨୦୧୯ରେ ୬୭୦ଟି ନକ୍ସଲ ହିଂସାକାଣ୍ଡ ଘଟିଛି । ଏଥିରେ ୧୪୫ ଜଣ ନକ୍ସଲ ପ୍ରାଣ ହରାଇଥିଲା ବେଳେ ୫୨ ଯବାନ ସହିଦ ହୋଇଛନ୍ତି । ସେହିଭଳି ୨୦୧୮ରେ ସମଗ୍ର ଦେଶରେ ମୋଟ ୮୩୩ ନକ୍ସଲ ହିଂସା ଘଟିଛି । ଏହି ଘଟଣାରେ ୨୨୫ ଜଣ ନକ୍ସଲଙ୍କ ମୃତୁ୍ୟ ହୋଇଥିଲା ବେଳେ ୬୭ ଜଣ ଯବାନ ସହିଦ ହୋଇଛନ୍ତି । ୨୦୨୦ରେ ସର୍ବାଧିକ ୩୧୫ଟି ନକ୍ସଲ ହିଂସାକାଣ୍ଡ ଛତିଶଗଡରେ ହୋଇଛି । ସେହି ସମୟରେ ରାଜ୍ୟରେ ୩୨୦ ଜଣ ନକ୍ସଲ ଧରାପଡିଥିବା ବେଳେ ୪୪ ଜଣ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଏହି ସମୟରେ ରାଜ୍ୟରେ ୩୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ଛତିଶଗଡ ପରେ ଦ୍ୱିତୀୟ ସର୍ବାଧିକ ନକ୍ସଲ ହିଂସା ଝାଡଖଣ୍ଡରେ ଘଟିଛି । ସେହି ବର୍ଷ ରାଜ୍ୟରେ ୧୯୯ଟି ନିକ୍ସଲ ହିଂସା ଘଟିଛି । ୩୭୮ ନକ୍ସଲ ଗିରଫ ହୋଇଥିଲା ବେଳେ ୧୪ ଜଣ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ରାଜ୍ୟରେ ୨୦୨୦ରେ ନକ୍ସଲ ହିଂସାରେ ୩୮ ଜଣ ସାଧାରଣ ନାଗରିକଙ୍କ ମୃତୁ୍ୟ ଘଟିଥିଲା । ଏହା ତଳକୁ ତୃତୀୟରେ ରହିଛି ଓଡ଼ିଶା । ୨୦୨୦ରେ ଓଡିଶାରେ ୫୦ଟି ନକ୍ସଲ ହିଂସାକାଣ୍ଡ ଘଟିଛି । ଏଥିରେ ୧୭ ଜଣ ନକ୍ସଲ ମରିଥିଲା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ୧୩ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ଗତବର୍ଷ ଛତିଶଗଡ, ଝାଡଖଣ୍ଡ, ଓଡିଶା, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ନକ୍ସଲ ହିଂସାକାଣ୍ଡ ଦେଖିବାକୁ ମିଳିଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।