୧ ଲକ୍ଷ ୭୦ ହଜାର କୋଟିର ବଜେଟ
୧ ଲକ୍ଷ ୭୦ ହଜାର କୋଟିର ବଜେଟ
admin
Feb 9, 2021 - 13:00
Updated: Feb 9, 2021 - 13:00
ଭୁବନେଶ୍ୱର:ରାଜ୍ୟ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମଂଜୁରୀ ମିଳିଛି । ପ୍ରାୟ ୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମଂଜୁରୀ ମିଳିଥିବା ସୂଚନା ମିଳିଛି । ଆସନ୍ତା ୨୨ରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ । ପୂର୍ବ ବର୍ଷ ୧ ଲକ୍ଷ ୫୦ ହଜାର କୋଟ ଟଙ୍କାର ବଜେଟ ଥିଲା । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି । ବଜେଟରେ ୧୨୪୨ କୋଟି ଟଙ୍କା ୮ଟି ପ୍ରକଳ୍ପକୁ ଅନୁମୋଦନ ମିଳିଲା । ପ୍ରକଳ୍ପ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଖୋର୍ଦ୍ଧାରେ ଓରିକନ ଖାଦ୍ୟ ପାନୀୟ ପ୍ରକଳ୍ପ ପାଇଁ ୧୨୦ କୋଟି ଟଙ୍କା ନିବେଶ ହେବ ।
ମିଳିଥିବା ସୂଚନା ଅନୁଯାୟୀ, ଏସଏଲଏମ ପାଉଡ଼ର କମ୍ପାନୀ ପକ୍ଷରୁ ୬୭.୮୩ କୋଟି ବ୍ୟୟରେ ଆଇରନ ପାଉଡ଼ର କମ୍ପାନୀ ପ୍ରତିଷ୍ଠା କରାଯିବ । ସୁନ୍ଦରଗଡ଼ ଜିଲ୍ଲାର କୁଲାଙ୍ଗ ଶିଳ୍ପାଂଚଳରେ ପ୍ରତିଷ୍ଠା ହେବାକୁ ଥିବା ଏହି କମ୍ପାନୀରେ ୪୩୦ ଜଣଙ୍କୁ ନିଯୁକ୍ତି ମିଳିପାରିବ । ସେହିପରି ଓରିକନ ଏଂଟରପ୍ରାଇଜସ ପକ୍ଷରୁ ଖୋର୍ଦ୍ଧାରେ ଏକ ଖାଦ୍ୟ ଶିଳ୍ପ ପ୍ରତିଷ୍ଠା ହେବ । ୧୨୦ କୋଟି ନିବେଶରେ ହେବାକୁ ଥିବା ଏହି କମ୍ପାନୀରେ ୧୧୦ ଜଣଙ୍କୁ ନିଯୁକ୍ତି ମିଳିବ । ସୂର୍ଯ୍ୟ ଇଂଟରନାସନାଲ ପକ୍ଷରୁ ଖୋର୍ଦ୍ଧାର ଇଏମସି ପାର୍କ ଇନଫୋ ଭ୍ୟାଲିରେ ପ୍ରତିଷ୍ଠା ହେବାକୁ ଥିବା ଏହି କମ୍ପାନୀରେ ୬୭ କୋଟି ୫୦ ଲକ୍ଷ ଟଙ୍କା ନିବେଶ ହେବ । ଫଳରେ ୬୮୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହାଛଡ଼ା ଜଗନ୍ନାଥ ଇଣ୍ଡଷ୍ଟି୍ରଆଲ ଆଣ୍ଡ ଲଜିଷ୍ଟିକ ପାର୍କ ପକ୍ଷରୁ ଟାଙ୍ଗୀ ଚୌଦ୍ୱାରରେ ପ୍ରତିଷ୍ଠିତ ହେବାକୁ ଥିବା କମ୍ପାନୀରେ ୧୪୦ କୋଟି ଟଙ୍କା ନିବେଶ ହେବ । ଫଳରେ ୧୧୦ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରହିଛି । ପୁରୀର କୃଷ୍ଣପ୍ରସାଦ ଠାରେ ଆଇଆରଇଏଲ ଇଡ଼କଲ ପକ୍ଷରୁ ୪୬୦ କୋଟି ଟଙ୍କା ବ୍ୟୟରେ ଏକ ହେଭି ବିଚ ସ୍ୟାଣ୍ଡ ପ୍ରକଳ୍ପ ହେବ । ଯେଉଁଥିରେ ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ଏତଦବ୍ୟତୀତ ପ୍ରଭାତ ହସପିଟାଲଟି ପକ୍ଷରୁ ପୁରୀରେ ଏକ ପଂଚ ତାରକା ହୋଟେଲ ପ୍ରତିଷ୍ଠା କରାଯିବ । ଏହି ହୋଟେଲରେ ୧୩୫.୬୯ କୋଟି ଟଙ୍କା ନିବେଶ ହେବାର ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିପାରିବ । ସେହିପରି ସ୍ୱସ୍ତି ପ୍ରିମିୟମ ପକ୍ଷରୁ ପୁରୀରେ ୧୩୪ କୋଟି ଟଙ୍କା ବ୍ୟୟରେ ଏକ ପଂଚ ତାରକା ହୋଟେଲ କରାଯିବ । ଏଥିରେ ୩୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଭୁବନେଶ୍ୱରରେ ହୋଟେଲ ଇଡେ଼ନ ରକ ପକ୍ଷରୁ ଏକ ଚାରି ତାରକା ହୋଟେଲ ନିର୍ମାଣ ହେବ । ଯେଉଁଥିରେ ୧୧୭ କୋଟି ଟଙ୍କା ବ୍ୟୟ ହେବାର ଥିବାବେଳେ ୩୪୫ ଜଣଙ୍କୁ ନିଯୁକ୍ତି ମିଳିପାରିବ ।