୧୨୪୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋର ମଞ୍ଜୁରୀ
୧୨୪୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋର ମଞ୍ଜୁରୀ
admin
Feb 9, 2021 - 13:08
Updated: Feb 9, 2021 - 13:08
୩୧୩୫ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ
ଭୁବନେଶ୍ୱର : ୧୨୪୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋର ମଂଜୁରୀ ମିଳିଛି । ଏହାଦ୍ୱାରା ୩୧୩୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି ।
ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ଅନୁମୋଦନ କର୍ତୃପକ୍ଷ ବୈଠକ ଡିଜିଟାଲ ମୋଡ଼ରେ ହୋଇଥିଲା । ଏହି ବୈଠକରେ ୮ଟି ଶିଳ୍ପ ପ୍ରକଳ୍ପର ୧୨୪୨ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଥିଲା । ମେଟାଲ ଓ ମେଟାଲ ଡାଉନଷ୍ଟି୍ରମ, ଆଇଟି, ନିର୍ମାଣ ଓ ପର୍ଯ୍ୟଟନ ଆଦି କ୍ଷେତ୍ର ପାଇଁ ପ୍ରସ୍ତାବ ଆସିଥିଲା । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୩୧୩୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ପ୍ରକଳ୍ପଗୁଡ଼ିକୁ ମଂଜୁରୀ ପ୍ରଦାନ କରିବା ସହ ତୁରନ୍ତ ଏହାର ଶିଳାନ୍ୟାସ ଓ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଏଥିପାଇଁ ଇଡ଼କଲ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ । ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଏସଏଲଏମ ପାଉଡ଼ର କମ୍ପାନୀ ପକ୍ଷରୁ ୬୭.୮୩ କୋଟି ବ୍ୟୟରେ ଆଇରନ ପାଉଡ଼ର କମ୍ପାନୀ ପ୍ରତିଷ୍ଠା କରାଯିବ । ସୁନ୍ଦରଗଡ଼ ଜିଲ୍ଲାର କୁଲାଙ୍ଗ ଶିଳ୍ପାଂଚଳରେ ପ୍ରତିଷ୍ଠା ହେବାକୁ ଥିବା ଏହି କମ୍ପାନୀରେ ୪୩୦ ଜଣଙ୍କୁ ନିଯୁକ୍ତି ମିଳିପାରିବ । ସେହିପରି ଓରିକନ ଏଂଟରପ୍ରାଇଜସ ପକ୍ଷରୁ ଖୋର୍ଦ୍ଧାରେ ଏକ ଖାଦ୍ୟ ଶିଳ୍ପ ପ୍ରତିଷ୍ଠା ହେବ । ୧୨୦ କୋଟି ନିବେଶରେ ହେବାକୁ ଥିବା ଏହି କମ୍ପାନୀରେ ୧୧୦ ଜଣଙ୍କୁ ନିଯୁକ୍ତି ମିଳିବ । ସୂର୍ଯ୍ୟ ଇଂଟରନାସନାଲ ପକ୍ଷରୁ ଖୋର୍ଦ୍ଧାର ଇଏମସି ପାର୍କ ଇନଫୋ ଭ୍ୟାଲିରେ ପ୍ରତିଷ୍ଠା ହେବାକୁ ଥିବା ଏହି କମ୍ପାନୀରେ ୬୭ କୋଟି ୫୦ ଲକ୍ଷ ଟଙ୍କା ନିବେଶ ହେବ । ଫଳରେ ୬୮୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହାଛଡ଼ା ଜଗନ୍ନାଥ ଇଣ୍ଡଷ୍ଟି୍ରଆଲ ଆଣ୍ଡ ଲଜିଷ୍ଟିକ ପାର୍କ ପକ୍ଷରୁ ଟାଙ୍ଗୀ ଚୌଦ୍ୱାରରେ ପ୍ରତିଷ୍ଠିତ ହେବାକୁ ଥିବା କମ୍ପାନୀରେ ୧୪୦ କୋଟି ଟଙ୍କା ନିବେଶ ହେବ । ଫଳରେ ୧୧୦ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରହିଛି । ପୁରୀର କୃଷ୍ଣପ୍ରସାଦ ଠାରେ ଆଇଆରଇଏଲ ଇଡ଼କଲ ପକ୍ଷରୁ ୪୬୦ କୋଟି ଟଙ୍କା ବ୍ୟୟରେ ଏକ ହେଭି ବିଚ ସ୍ୟାଣ୍ଡ ପ୍ରକଳ୍ପ ହେବ । ଯେଉଁଥିରେ ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ଏତଦବ୍ୟତୀତ ପ୍ରଭାତ ହସପିଟାଲଟି ପକ୍ଷରୁ ପୁରୀରେ ଏକ ପଂଚ ତାରକା ହୋଟେଲ ପ୍ରତିଷ୍ଠା କରାଯିବ । ଏହି ହୋଟେଲରେ ୧୩୫.୬୯ କୋଟି ଟଙ୍କା ନିବେଶ ହେବାର ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିପାରିବ । ସେହିପରି ସ୍ୱସ୍ତି ପ୍ରିମିୟମ ପକ୍ଷରୁ ପୁରୀରେ ୧୩୪ କୋଟି ଟଙ୍କା ବ୍ୟୟରେ ଏକ ପଂଚ ତାରକା ହୋଟେଲ କରାଯିବ । ଏଥିରେ ୩୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଭୁବନେଶ୍ୱରରେ ହୋଟେଲ ଇଡେ଼ନ ରକ ପକ୍ଷରୁ ଏକ ଚାରି ତାରକା ହୋଟେଲ ନିର୍ମାଣ ହେବ । ଯେଉଁଥିରେ ୧୧୭ କୋଟି ଟଙ୍କା ବ୍ୟୟ ହେବାର ଥିବାବେଳେ ୩୪୫ ଜଣଙ୍କୁ ନିଯୁକ୍ତି ମିଳିପାରିବ ।