ୟୁକ୍ରେନ୍‌ର ୧୩ ସହର ଉପରେ ରୁଷ୍‌ର ଏକକାଳୀନ ଆକ୍ରମଣ

ୟୁକ୍ରେନ୍‌ର ୧୩ ସହର ଉପରେ ରୁଷ୍‌ର ଏକକାଳୀନ ଆକ୍ରମଣ

ୟୁକ୍ରେନ୍‌ର ୧୩ ସହର ଉପରେ ରୁଷ୍‌ର ଏକକାଳୀନ ଆକ୍ରମଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଯୁଦ୍ଧ ଘୋଷଣା ପରେ ୟୁକ୍ରେନର ୧୩ ଟି ସହର ଉପରେ ଆକ୍ରମଣ କରିଛି ରୁଷି ସେନା  ରାଜଧାନୀ କିୱି ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ହେବାର ଖବର ରହିଛି । କଳାସାଗର ନିକଟ ଓଡେସାରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ରାଜଧାନୀ କିଭରେ ମଧ୍ୟ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଖାର୍କିଭରେ ହୋଇଥିବା ବିସ୍ଫୋରଣ ବିଷୟରେ ମଧ୍ୟ ସୂଚନା ମିଳିଛି । କ୍ରାମାଟେରସ୍କ, ବର୍ଡିୟାନ୍ସକ ଏବଂ ନିକୋଲାଏଭ ସହରରେ ବିସ୍ଫୋରଣ ମଧ୍ୟ ହୋଇଛି । ତେବେ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ ।

ପ୍ରକାଶ ଯେ,ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ପଶ୍ଚିମ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତି, ମସ୍କୋ କେବେ ହେଲେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହିଁ। ୟୁକ୍ରେନ ପଟୁ ବଢ଼ୁଥିବା ଧମକର ଉଚିତ ଜବାବ ଓ କିଭ୍ କରୁଥିବା ସାମରିକ ପଦକ୍ଷେପର ମୂଳପୋଛ କରିବାକୁ ଏପରି ପଦକ୍ଷେପ ନିଆଯାଉଛି। ଏଥପାଇଁ ଆମେ ମିଲିଟାରୀ ଅପରେସନର ନିଷ୍ପତ୍ତି ନେଇଛୁ। ଏବେ ସୀମାରେ ୟୁକ୍ରେନ ଓ ରୁଷ ଯବାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ତେଣୁ ସୁରକ୍ଷା ଚାହୁଁଥିଲେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି।

ଏଥିସହ ସେ ବାହାର ରାଷ୍ଟ୍ରଗୁଡ଼ିକୁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ପୁଟିନ କହିଛନ୍ତି, ଯଦି କେହି ଏହି ବିବାଦ ଭିତରେ ହସ୍ତକ୍ଷେପ କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇତିହାସରେ କେହି କେବେ ଯାହା ସମ୍ମୁଖୀନ ହୋଇ ନଥିବେ, ଏବେ ସେମାନଙ୍କୁ ସେଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପ୍ରତି ସମସ୍ତେ ସତର୍କ ରୁହନ୍ତୁ। ଆମେ ସବୁ ପ୍ରକାରର ନିଷ୍ପତ୍ତି ନେଇଛୁ। ମୋର ଆଶା ମୋତେ ସମସ୍ତେ ଭଲ ଭାବେ ଶୁଣିଥିବେ।

ବାରମ୍ବାର କହିବା ସତ୍ତ୍ୱେ ଆମେରିକା ଓ ଏହାର ସହଯୋଗୀମାନେ ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ଆଗଭର ହେଉଛନ୍ତି। ଏଥିସହ ମସ୍କୋ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହା କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି ସେ ବେଶ ଆକ୍ରମଣାତ୍ମକ ଅନ୍ଦାଜରେ କହିଛନ୍ତି।