ସବୁ ଆକାଶଛୁଆଁ, ଅଚ୍ଛେ ଦିନରେ ଖୁସି ତ!

ସବୁ ଆକାଶଛୁଆଁ, ଅଚ୍ଛେ ଦିନରେ ଖୁସି ତ!

ସବୁ ଆକାଶଛୁଆଁ, ଅଚ୍ଛେ ଦିନରେ ଖୁସି ତ!


ଭୁବନେଶ୍ୱର: ମାଲକାନଗିରିରେ ଆଜି ପେଟ୍ରୋଲ ଲିଟର ୧୧୪ ଟଙ୍କା ଡେଇଁଛି । ଏପଟେ ସୋରିଷ ତେଲ ୨୦୦ ଟଙ୍କା ଉପରେ । ସବୁ ପନିପରିବା ଦର ୮୦ ଟଙ୍କା ପାର୍ କରିଛି । ସବୁଠୁ ବଡ଼ କଥା ହେଲା, ରନ୍ଧନ ଗ୍ୟାସ ସିଲିଣ୍ଡର ଏବେ ୯୨୬ ଟଙ୍କାରେ ପହଞ୍ଚିଛି । ଏମିତି ମହଙ୍ଗା ମାଡ଼ରେ ସାଧାରଣ ଲୋକର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଏହାକୁ ନେଇ ସବୁ ସ୍ତରର ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଭରି ରହିଥିବାବେଳେ ସୋସିଆଲ ମିଡିଆରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଲାଣି । ଅନେକ ଲୋକେ ଏଭଳି ମହଙ୍ଗା ବଜାର ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି । କେତେକ ଲୋକେ ଉଭୟ ସରକାରଙ୍କ ପୁରୁଣା ଡାଏଲଗକୁ ଉଲ୍ଲେଖ କରି କହୁଛନ୍ତି, ମହଙ୍ଗା ମାଡ଼ରେ ସବୁ ଦରଦାମ ଆକାଶଛୁଆଁ । ଏହି ଅଚ୍ଛେଦିନରେ ଆପଣମାନେ ଖୁସି ତ? 

  ଅଚ୍ଛେ ଦିନର ପ୍ରତିଶ୍ରୁତି ଦେଇ ଲୋକଙ୍କ ମନ ଜିତି କ୍ଷମତାକୁ ଆସିଥିଲେ ମୋଦି । ୨୦୧୪ ନିର୍ବାଚନରେ ମୋଦିଙ୍କ ପ୍ରଚାରରେ ମୁଖ୍ୟ ଅସ୍ତ୍ର ଥିଲା-ଦରଦାମ ବୃଦ୍ଧି । ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ ମୋଦି ସେତେବେଳେ ୟୁପିଏ ସରକାର ଓ କଂଗ୍ରେସକୁ ଜୋରଦାର ଆକ୍ରମଣ କରୁଥିଲେ । ହେଲେ ଏବେ ସ୍ଥିତି ଓଲଟା । ଯେଉଁ ଦରବୃଦ୍ଧିକୁ ନେଇ ମୋଦି କଂଗ୍ରେସକୁ ଆକ୍ରମଣ କରି କ୍ଷମତାକୁ ଆସିଥିଲେ, ଏବେ ସେଇ ମହଙ୍ଗା ଡାହାଣୀ ମୋଦି ସରକାରକୁ ଗୋଡ଼ାଇଛି । ସାରା ଦେଶରେ ପେଟ୍ରୋଲ, ଡିଜେଲ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଯେଉଁଭଳି ହୁ ହୁ ହୋଇ ବଢ଼ୁଛି, ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ପ୍ରତିଦିନ ତୈଳ ଦର ବଢ଼ୁଛି । ଏବେ ମୋଦି ସରକାର ଏହାକୁ ଆନ୍ତର୍ଜାତିକ ପ୍ରସଙ୍ଗ କହି ଖସିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ପଚାରୁଛନ୍ତି- ସରକାରଙ୍କ ଟିକସ ଭାର ଯୋଗୁ ଦରବୃଦ୍ଧି ଘଟୁଛି, ଟିକସ କାହିଁକି କମାଉନାହାନ୍ତି? ତେବେ ତୈଳ ଦରବୃଦ୍ଧି ଯୋଗୁ ଦେଶରେ ସବୁ ସାମଗ୍ରୀ ଦର ଏବେ ଚଢ଼ା ହୋଇଛି । 

  ଆଜି ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଲିଟର ୧୧୪ ଟଙ୍କା ୪୮ ପଇସା ଥିବାବେଳେ ଡିଜେଲ ୧୧୦ ଟଙ୍କା ହୋଇଛି । ରାଉରକେଲାରେ ପେଟ୍ରୋଲ ଲିଟର ୧୧୦ ଟଙ୍କା ଛୁଇଁଥିବାବେଳେ କଟକରେ ୧୦୯ ଟଙ୍କା ଟପିଛି । ଭୁବନେଶ୍ୱରରେ ବି ପେଟ୍ରୋଲ ଲିଟର ୧୦୯ ଟଙ୍କା ପାଖାପାଖି ପହଞ୍ଚିଛି ।

  ସ୍ଥିତି ଏମିତି ହେଲାଣି, ଗାଡ଼ିରେ ଗୋଟିଏ ଲିଟର ତେଲ ପକାଇବାକୁ ବହୁ ଲୋକଙ୍କର ପକେଟରେ ଦମ୍ ପାଉନି । ସାଧାରଣ ଲୋକଙ୍କ କହିବା କଥା ହେଲା, ତେଲ ଟାଙ୍କିରେ ପହଞ୍ଚିଲାବେଳକୁ ପ୍ରତିଦିନ ନୂଆ ନୂଆ ଦର ଶୁଣିବାକୁ ମିଳୁଛି । ଆଜି ଗୋଟିଏ ରେଟ, କାଲିକୁ ଆସିଲାବେଳକୁ ଆହୁରି ବଢିଯାଉଛି । ଲୋକେ କାନ୍ଦୁଥିବାବେଳେ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ହସହସ ମୁହଁର ବିରାଟ ଫଟୋ ଦେଖିବାକୁ ମିଳୁଛି । ରକ୍ତ ଝରୁଥିବା ଖଣ୍ଡିଆରେ ଲୁଣ ପକାଇଲା ଭଳି ଏହା ବାଧୁଛି ବୋଲି ଅନେକ ଲୋକେ କହୁଛନ୍ତି ।  

  ବର୍ଦ୍ଧିତ ତେଲ ଦର ଯୋଗୁ ରାଜ୍ୟରେ ବସ୍ ସେବା ବନ୍ଦ ହେବାକୁ ବସିଲାଣି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଗତକାଲି ଏକ ଜରୁରୀ ବୈଠକ ଡାକିଥିଲା । ଏଥିରେ ସଂଘ ସରକାରଙ୍କୁ ଦାବି କରିଛି, କରୋନା କାଳରୁ ବସ୍ ବେପାର କ୍ଷତିରେ ଚାଲୁଛି । ବର୍ଦ୍ଧିତ ଡିଜେଲ ଦର ଯୋଗୁ ଭଡ଼ା ବଢ଼ିଥିବାରୁ ଯାତ୍ରୀମାନେ ମୁହଁ ଫେରାଇଲେଣି । ତେଣୁ ଶୀଘ୍ର ଡିଜେଲ ଉପରୁ ଟିକସ କମାଇ ତେଲ ଦର କମ୍ କରନ୍ତୁ । ଆସନ୍ତା ନଭେମ୍ବର୧୫ ତାରିଖ ଭିତରେ ସରକାର ନ ଶୁଣିଲେ ଆସନ୍ତା୧୬ରୁ ସବୁଯାକ ବସ୍ ବନ୍ଦ କରିଦେବୁ ।

  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ନ କମାଇଲେ ପେଟ୍ରୋଲ, ଡିଜେଲ ଦରବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବନି । ବରଂ ଆଗକୁ ଏମିତି ତେଲ ଦର ବଢ଼ି ଚାଲିବ ବୋଲି  ବିଶେଷଜ୍ଞ ଚେତାଇ ଦେଇଛନ୍ତି ।

  ଅନ୍ୟପଟେ ଖାଇବା ତେଲ ଦର ବି କମୁନି । ସୋରିଷ ତେଲ ଦାମ୍ ୨୦୦ ଟଙ୍କା ଉପରେ । ଖୁଚୁରା ବଜାରରେ ସୋରିଷ ତେଲ ଲିଟର ୧୯୦ ଟଙ୍କାରୁ ୨୦୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । 

  ପନିପରିବା ଦର ଯାହା, ଥରେ ବଜାର ବୁଲିଆସିଲେ ମୁଣ୍ଡ ଘୁରେଇ ଦେଉଛି । ଅଧିକାଂଶ ପନିପରିବା ଦର ୮୦ ଟଙ୍କା ପାଖାପାଖି । ଦେଶୀ ପୋଟଳ କିଲୋ ୧୨୦ ଟଙ୍କା । ବାହାର ରାଜ୍ୟରୁ ଆସୁଥିବା ପୋଟଳ ୬୦-୮୦ ଟଙ୍କା । ବାଇଗଣ ବିକ୍ରି ହେଉଛି ୬୦ରୁ ୮୦ ଟଙ୍କାରେ । ଭେଣ୍ଡି ଦର ୭୦-୮୦ ଟଙ୍କା । ଜହ୍ନି ୬୦/୭୦ । ବାଇଗଣ, କଲରା, କାକୁଡ଼ି ଦର ପ୍ରାୟ ୮୦ ଟଙ୍କା । ଟମାଟୋ ୬୦ ଉପରେ । ବିନ୍ସ କିଲୋ ୧୨୦ ଟଙ୍କା ଥିବାବେଳେ ୨୫୦। ଫୁଲ କୋବି ଗୋଟା ୫୦ ଟଙ୍କା ଥିବାବେଳେ ବନ୍ଧା କୋବି ୩୫ ଟଙ୍କାରେ ବିକ୍ରି ହେଉଛି। ଝୁଡ଼ଙ୍ଗ ୬୦ରୁ ୮୦ ଟଙ୍କା ହେଲାଣି । 

କରୋନା କାଳରେ ଲୋକଙ୍କ ରୋଜଗାର କମିଛି । ଅନେକଙ୍କର ଚାକିରି ନାହିଁ । ବେରୋଜଗାର ବଢ଼ିଛି । ବ୍ୟବସାୟ ପ୍ରଭାବିତ ହୋଇଛି । ଅଧିକାଂଶ ବ୍ୟବସାୟ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏଭଳି ସଙ୍କଟ ସମୟରେ ମହଙ୍ଗା ବଜାର ମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଅଥଚ ଏ ଦିଗରେ ସରକାର ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି । ଦର ନିୟନ୍ତ୍ରଣ ପାଇଁ କିଛି ବି ପଦକ୍ଷେପ ନେଉନାହାନ୍ତି । ପଡେ଼ାଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ରେ ଟିକସ କମ୍ କରାଯିବାରୁ ତେଲ ଦର ଆମ ରାଜ୍ୟ ତୁଳନାରେ କମ୍ ରହିଛି। ମାତ୍ର  ଉଭୟ ଓଡ଼ିଶା ସରକାର ଏ ଦିଗରେ ଚିନ୍ତା ବି କରୁନାହାନ୍ତି । 

  ଲୋକେ ମହଙ୍ଗା ବଜାର ମାଡ଼ରେ ଜର୍ଜରିତ ଥିବାବେଳେ ରାଜ୍ୟରେ ଶାସକ ବିଜେଡି ଚୁପ୍ ରହିଛି । ତୈଳ ଦର ମୁଖ୍ୟ ପ୍ରସଙ୍ଗ ଥିବାରୁ ବଜାର ଦର ନେଇ ବିଜେପି ବି ନୀରବ ରହିବାକୁ ଉଚିତ ମଣୁଛି । ଯଦିଓ କଂଗ୍ରେସ ଏ ପ୍ରସଙ୍ଗ ନେଇ ଅନେକ ଥର ରାସ୍ତାକୁ ଓହ୍ଲାଇଛି, ହେଲେ ସଂଗଠନ ସୁଦୃଢ଼ ନଥିବାରୁ ଦଳ ଜୋରଦାର ଚାପ ପକାଇବାରେ ସଫଳ ହୋଇନି । ଏମିତିରେ ସାଧାରଣ ଲୋକଙ୍କୁ କେବଳ ଭଗବାନ ଭରସା । ଏ ମହଙ୍ଗା ମାଡ଼ରୁ ରକ୍ଷା ପାଇଁ ଲୋକେ ଉପରକୁ ହାତ ଉଠାଇ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ।