ମିଳିଲାନି ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡ଼ି, ବାଇକ୍ରେ ଗଲା ଶବ
ମିଳିଲାନି ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡ଼ି, ବାଇକ୍ରେ ଗଲା ଶବ
ବାଙ୍କୀ: ପୁଣିଥରେ ପଦାରେ ପଡ଼ିଛି ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା। ଶବକୁ ମିଳୁନି ସମ୍ମାନ। ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଯୁବକଙ୍କ ଶବକୁ ବାଇକ୍ରେ ଘରକୁ ନିଆଯାଇଛି। ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ି କିମ୍ବା ଆମ୍ବୁଲାନ୍ସ ମିଳିଲା ନାହିଁ। ତେଣୁ ଡାକ୍ତରଖାନାରୁ ଘରକୁ ବାଇକ୍ରେ ବୁହା ହୋଇ ଆସିଲା ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଡାକ୍ତରଖାନାରେ।
ସୂଚନା ଅନୁଯାୟୀ, ବାଙ୍କୀ ନିକଟସ୍ଥ ଢଂସର ଗାଁର ଅଜୟ ଲେଙ୍କାଙ୍କୁ ଜ୍ୱର ହୋଇଥିଲା। ସୋମବାର ପରିବାର ଲୋକେ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ବୁଧବାର ସକାଳେ ପରିବାର ଲୋକେ ଶବ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ କହିଥିଲେ। ହେଲେ କିଛି ସୁଫଳ ମିଳିଥିଲା। ମେଡିକାଲ କର୍ମଚାରୀ ଡେଥ୍ ସାର୍ଟିଫିକେଟ ଦେଇ କାମ ସାରି ଦେଲେ।
ଶେଷରେ ପରିବାର ଲୋକେ କିଛି ଉପାୟ ନ ପାଇ ବାଇକରେ ମୃତଦେହକୁ ଡାକ୍ତରଖାନାରୁ ଘର ପର୍ୟ୍ୟନ୍ତ ଆଣିଥିଲେ। ଘଟଣା ସଂପର୍କରେ ବାଙ୍କୀ ଏସ୍ଡିଏମ୍ଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ମୃତ ଅଜୟଙ୍କ ଭାଇ କାହ୍ନୁ ଲେଙ୍କା କହିଛନ୍ତି, ମୃତଦେହ କେମିତି ନେବୁ ବୋଲି ଡାକ୍ତରଙ୍କୁ ପଚାରି ଥିଲୁ। ତୁମେ ବ୍ୟବସ୍ଥା କରି ନେଇଯାଅ ବୋଲି ସେ କହିଥିଲେ।




admin 