ସ୍କୁଲ ସ୍ତରରୁ ହେବ ସ୍ୱତନ୍ତ୍ର ପ୍ରଶିକ୍ଷଣ, ଓଡିଶା କ୍ରିକେଟରେ ଆଗେଇବେ ମହିଳା
ଓଡିଶା କ୍ରିକେଟରେ ଆଗେଇବେ ମହିଳା । ସ୍କୁଲ ସ୍ତରରୁ ହେବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ତୃଣମୂଳ ସ୍ତରରୁ ମଜଭୁତ ମହିଳା ଖେଳାଳି ପାଇବ ଓଡିଶା । ଯିଏକି ଆଗମୀ ଦିନରେ ଓଡିଶା ପାଇଁ ଆଣିବେ ଗୌରବ । ଏହି ଦିଗକୁ ନଜରରେ ରଖି କଟକ ଷ୍ଟିୱାର୍ଟ ସ୍କୁଲ ଓ ଓଡିଶା କ୍ରିକଟ ଆସୋସିଏସନର ମିଳିତ ଉଦ୍ୟମରେ ଷ୍ଟିୱାର୍ଟ ସ୍କୁଲ ପରିସରରେ ଏକ ଓମେନ୍ କ୍ରିକେଟ୍ ଏକାଡେମୀର ଶୁଭାରମ୍ଭ ହୋଇଛି। ଏହି ଅବସରରେ ପୁର୍ବତନ ଭାରତୀୟ କ୍ରିକେଟର ନରେନ୍ଦ୍ର ହିରୱାନି ଓ ସ୍ୱାଗତିକା ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଏକାଡେମୀକୁ ଉଦ୍ଘାଟନ କରିଛନ୍ତି । ଓଡିଶାରେ ମହିଳାମାନଙ୍କୁ କ୍ରୀଡା ଦିଗରେ ଆଗେଇ ନେବା ପାଇଁ ଏହି ପ୍ରୟାସ ବେଶ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ହିରୱାନି ।
ଏହି ମହିଳା ଏକାଡେମୀ କେବଳ ଓଡିଶା ନୁହଁ, ବରଂ ଭାରତୀୟ ଦଳ ପାଇଁ ଏହା ଏକ ଗୁଣାତ୍ମକ ଦିଗ । କେବଳ କ୍ରିକେଟ ନୁହଁ, ଏକାଡେମୀରେ ଅଭ୍ୟାସ କରିବା ଦ୍ୱାରା ବାଳିକାମାନେ ଶାରିରୀକ ସ୍ତରରେ ସୁସ୍ଥ ରହିବା ସହ ବିଭିନ୍ନ କ୍ରୀଡା କ୍ଷେତ୍ରରେ ମନୋନିବେଶ କରି ପାରିବେ। ଅନ୍ୟପଟେ ସ୍କୁଲ ପରିସରରେ ଏହି କ୍ରିକେଟ ଏକାଡେମୀ ନିର୍ମାଣ ହେବା ଦ୍ୱାରା ସ୍କୁଲ ସ୍ତରରୁ ଅନେକ ଖେଳାଳି ରାଜ୍ୟ ଦେଶକୁ ପ୍ରତିନିଧିତ୍ଵ କରି ପାରିବେ । ଓସିଏର ସାହାଯ୍ୟ ବଳରେ ଏହା ପ୍ରତିଷ୍ଠା ହୋଇଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ।