ଶୁଆ ଜନ୍ମଦିନ କେକ କାଟି ଅଡ଼ୁଆରେ ମହାରଣା ପରିବାର !

 ଶୁଆ ଜନ୍ମଦିନ କେକ କାଟି ଅଡ଼ୁଆରେ ମହାରଣା ପରିବାର !

ସୋନପୁର: ସୋନପୁର ସହର ରେ ଘୋଡ଼ାହାଡ ଅଞ୍ଚଳରେ ପୂଜା ମହାରଣାଙ୍କ ଘରେ ପୋଷା ଶୁଆ ର ଜନ୍ମ ଦିନ କେକ୍ କାଟି, ଶୁଆ କୁ ଖୁଆଇ, ସାହି ପିଲାଙ୍କୁ ଭୋଜି ଦେଇ ଗଣ ମାଧ୍ୟମରେ ଗୋଟିଏ ପଟେ ଶିରୋନାମା ସାଉଁଟିବା କୁ ସକ୍ଷମ ହୋଇଥିବା ବେଳେ, ଖାସ୍ ସେଇ କାମ ପାଇଁ ଏବେ ସଂପୃକ୍ତ ପରିବାର ଅକଳରେ ପଡିଛନ୍ତି । ବନ୍ୟ ପ୍ରାଣୀ ଆଇନ ର ଉଲଂଘନ କରିଥିବାରୁ ଶୁଆ ଜନ୍ମ ଦିନ ପାଳନ କରିଥିବା ପରିବାର ବିରୁଦ୍ଧରେ ସେପଟେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଦକ୍ଷେପ ନେଉଛି । ଆଜି ସକାଳୁ ବିଭିନ୍ନ ଗଣମାଧ୍ୟମ ରେ ଶୁଆ ଙ୍କୁ କେକ୍ ଖୁଆଇବା ଘଟଣା ପ୍ରକାଶିତ ହେବା ପରେ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ, ଫୋଟୋ, ଭିଡିଓକୁ ପ୍ରମାଣ ହିସାବରେ ନେଇ ରାଜ୍ୟର ବନ୍ୟ ପ୍ରାଣୀ ପିସିସିଏଫ୍  ତଥା ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । 

ଇମେଲ ଜରିଆରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଙ୍କୁ ନିଜ ପତ୍ର ରେ ଶୁଭେନ୍ଦୁ ସଂପୃକ୍ତ ମହାରଣା ପରିବାର ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ଭାରତୀୟ ଶୁଆ ବନ୍ୟପ୍ରାଣୀ  (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ସଂରକ୍ଷିତ । ଶୁଆ କୁ ପଞ୍ଜୁରୀ ରେ ବନ୍ଦୀ କରି ରଖିବା ବେଆଇନ ଏବଂ ଏଥି ପାଇଁ ବନ୍ୟ ପ୍ରାଣୀ ଆଇନ ରେ ଜେଲ / ଜୋରିମାନା / ଉଭୟ ଦଣ୍ଡ ର ପ୍ରାବଧାନ ରହିଛି । ଆଗରୁ ଅନେକ ସ୍ଥାନରେ ବନ ବିଭାଗ ଏବଂ ପୁଲିସ ତରଫରୁ ଚଢ଼ାଉ କରାଯାଇ ଶୁଆ ଙ୍କୁ ବିକ୍ରି ପାଇଁ ନେବା ବେଳେ ଚୋରା ବେପାରୀ ମାନଙ୍କୁ ଗିରଫ କରାଯାଇଛି । ଦୋକାନୀ ମାନଙ୍କୁ ମଧ୍ୟ ଅନେକ ସ୍ଥାନରେ ଗିରଫ କରା ଯାଇଛି । 

ଏନେଇ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଯଦି ସୋନପୁର ରେ ପୂଜା ମହାରଣା ପରିବାର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ, ତାହେଲେ ରାଜ୍ୟରେ ଅନ୍ୟ ମାନେ ମଧ୍ୟ ନିଜ ଘରେ ଶୁଆ ରଖି ଏଇ ଭଳି ପ୍ରହସନ କରିବେ । ଯାହାର ଅଧିକ ପଇସା ଥିବ, ସିଏ ହୋଟେଲ ରେ ଯାଇ ଶୁଆ ଙ୍କ ଜନ୍ମ ଦିନ ପାଳନ କରିବେ !" 

ତେବେ, ଯେଉଁ ସାମ୍ବାଦିକ ବା ଗଣମାଧ୍ୟମ ବେଆଇନ ଭାବରେ ଘରେ ଶୁଆ ଭଳି ଭାରତୀୟ ବନ୍ୟ ପ୍ରାଣୀ ଙ୍କୁ ପଞ୍ଜୁରୀ ରେ ରଖିବା ପାଇଁ  ଉତ୍ସାହିତ କରୁଛନ୍ତି , ସେମାନେ ଜାଣି ରଖିବା ଦରକାର ଯେ, ଶୁଆ କୁ ପଞ୍ଜରାବିଦ୍ଧ କରି ଘରେ ରଖିବା ଏକ ବନ୍ୟ ପ୍ରାଣୀ ଅପରାଧ ଏବଂ ପ୍ରକାରାନ୍ତ ରେ ସାମ୍ବାଦିକ ମାନେ ତାହାକୁ ପ୍ରୋତ୍ସାହନ ଦେଉଛନ୍ତି । ବନ୍ୟ ପ୍ରାଣୀ ଅପରାଧ କୁ ପ୍ରୋତ୍ସାହନ ଦେବା ମଧ୍ୟ ଅପରାଧ ଏବଂ ଓଡ଼ିଶାରେ ଆଗରୁ ଏଥି ନିମନ୍ତେ ସାମ୍ବାଦିକଙ୍କ ବିରୁଦ୍ଧରେ ବନ୍ୟ ପ୍ରାଣୀ ଆଇନ ର ସମିଚୀନ ଦଫା ଲଗାଇ ମାମଲା ମଧ୍ୟ କରାଯାଇଛି ।

ତେବେ, ଏହି ଘଟଣା କୁ ଗୁରୁତର ଭାବରେ ନେଇ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଙ୍କ କାର୍ଯ୍ୟାଳୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସିସଏଫ୍ ୱାଇଲ୍ଡ ଲାଇଫ ମନୋଜ ନାୟାର କହିଛନ୍ତି ।