ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ: ବିଜୟ
ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ: ବିଜୟ
ଭୁବନେଶ୍ୱର: ନିକଟରେ ନୂଆଦିଲ୍ଲୀ ଯାଇ କଂଗ୍ରେସରେ ମିଶିଥିବା ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ସୋମବାର ଓଡ଼ିଶା ଫେରିଛନ୍ତି । ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । କେବଳ ରାଜ୍ୟ ସରକାର ନୁହନ୍ତି ତୃତୀୟ ମହଲା କଥା ଉଠାଇବା ସହ ୫-ଟିକୁ ମଧ୍ୟ ଛାଡ଼ିନାହାନ୍ତି ।
ସେ କହିଛନ୍ତି ଯେ ସାଧାରଣ ଲୋକର କିଛି ଅସୁବିଧା ହେଲେ ସେ କାହା ପାଖକୁ ଯିବ ଓ କାହାକୁ କହିବ । ବିଧାୟକଙ୍କ ପାଖକୁ ଗଲେ, ସେ କହିବେ ଅଫିସରଙ୍କ ପାଖକୁ ଯାଅ । ଅଫିସରଙ୍କ ପାଖକୁ ଗଲେ ସେ କହିବେ ତୃତୟ ମହଲା ବୁଝୁଛି । ତୃତୀୟ ମହଲା ଅପହଞ୍ଚ, ସେଠିକୁ ସାମ୍ବାଦିକମାନଙ୍କୁ ବି ମନା । ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସେହିପରି ୫- ‘ଟି’କୁ ବି ସେ ଟାର୍ଗେଟ କରିଛନ୍ତି । ୫- ‘ଟି’ ଏକ ସ୍ଲୋଗାନ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ସବୁ ବିଭାଗର ସଚିବ ଅଛନ୍ତି, ପୁଣି ୫- ‘ଟି’ କାହିଁକି ଆବଶ୍ୟକ ପଡ଼ିଲା । ଯଦି ସବୁ ବିଭାଗ ଠିକ କାମ କରୁଛନ୍ତି, ଏ ୫- ‘ଟି’ କ’ଣ କରିବ । ୫- ‘ଟି’ରେ ସ୍ୱଚ୍ଛତା କଥା କୁହାଯାଉଛି, ସ୍ୱଚ୍ଛତା ଅଛି କି? ଯେମିତି ଶାସନ ଚାଲିଛି ସବୁ ଅମଲାଙ୍କ ଭିତରେ କ୍ଷୋଭ ରହିଛି । ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ଓଡ଼ିଶାରେ ଓଡ଼ିଆ ନିର୍ଯାତିତ ହେଉଛନ୍ତି । ଓଡ଼ିଶାର ଠିକାଦାରମାନଙ୍କୁ ଏଠାରେ କାମ ମିଳୁନି । ଛୋଟ ଛୋଟ ଠିକା କାମ ବି ବାହାର ଲୋକଙ୍କୁ ଦିଆଯାଉଛି । ଓଡ଼ିଶାରେ ନିଯୁକ୍ତି ଘୋର ଅଭାବ । ଏଠାରେ ବେରୋଜଗାରୀ ବଢୁଛି । ଓଡ଼ିଶାରେ କାମ ନପାଇ ଓଡ଼ିଆମାନେ ଦାଦନ ଖଟିବାକୁ ଯାଉଛନ୍ତି । କେତେ ଲୋକ ଦାଦନ ଯାଇଛନ୍ତି ସରକାରଙ୍କ ପାଖରେ ତଥ୍ୟ ଅଛି ବି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଏହାଛଡ଼ା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ବିଜୟ ପଟ୍ଟନାୟକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବୋଧହୁଏ ଗୋପାଳ ଦାସ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ମାରିନି । କିଏ ମାରିଛି କ୍ରାଇମବ୍ରାଞ୍ଚ ତାହାର ସତ୍ୟତା ଉନ୍ମୋଚନ କରିବା ଦରକାର । ଯଦି କ୍ରାଇମବ୍ରାଞ୍ଚ ପାରୁନି ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ । ହତ୍ୟାକାଣ୍ଡ ପଛରେ ନିଶ୍ଚିତ କୌଣସି ଲୋକର ହାତ ଅଛି । କାହାର ହାତ ନଥିଲେ ସେ ଏଏସଆଇ କ’ଣ ମାରିଦେଇପାରିବ । ଖାଲି ଗୋପାଳ ଯେ ମାରିଥିବ ବୋଲି ମୋର ବିଶ୍ୱାସ ହେଉନି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।