ରାଜଧାନୀରୁ ମିଳିଲା ଜାଲ୍‌ ନୋଟ୍

ରାଜଧାନୀରୁ ମିଳିଲା ଜାଲ୍‌ ନୋଟ୍

ରାଜଧାନୀରୁ ମିଳିଲା ଜାଲ୍‌ ନୋଟ୍

ଭୁବନେଶ୍ବର: ରାଜଧାନୀର ଏକ ବ୍ୟାଙ୍କରୁ ମିଳିଛି ଜାଲ୍‌ ନୋଟ୍। ଏଚ୍ଡିଏଫ୍ସି ବ୍ୟାଙ୍କର ବାପୁଜୀନଗର ଶାଖାରେ ଏହି ନୋଟ୍‌ ମିଳିବା ପରେ ଥାନାରେ ବ୍ୟାଙ୍କ ଅଧିକାରୀ ମାନସ ରଞ୍ଜନ ମହାପାତ୍ର ଏ ନେଇ ଅଭିଯୋଗ କରିଛନ୍ତି। ବ୍ୟାଙ୍କରେ ଟଙ୍କା ରଖା ଯାଇଥିବା ଚେଷ୍ଟ ଯାଞ୍ଚ ସମୟରେ ୧୬ଟି ୫ ଶହ ଟଙ୍କିଆ ଜାଲ୍ ନୋଟ୍ ମିଳିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ ଯାଞ୍ଚ କରିବା ପରେ ନୋଟ ଗୁଡ଼ିକ ଜାଲ୍ ବୋଲି ଜଣାପଡ଼ିଥିଲା। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରା ଯାଇଥିଲା। ଏହାପରେ କ୍ୟାପିଟାଲ ଥାନାରେ ଗତକାଲି ଅଭିଯୋଗ ହୋଇଥିଲା।

ପୁଲିସ କେସ୍ ନଂ-୨୫୦/୨୨ ଏବଂ ଆଇପିସି ଦଫା-୪୮୯(ବି)ରେ ମାମଲା ରୁଜୁ କରିଛି। ଏହି ନୋଟ୍ କେହି ଗ୍ରାହକ ଜମା କରିଥିବା ସନ୍ଦେହ କରାଯାଉଛି। କିଏ ଜମା କରିଛି ତାହା ଜାଣିବା ବ୍ୟାଙ୍କ ପକ୍ଷରୁ କଷ୍ଟକର ହୋଇପଡ଼ିଛି। ପୁଲିସ ଘଟଣାର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ପ୍ରାୟ ଦୁଇ ମାସ ତଳେ ଖାରବେଳନଗର ଥାନା ପୁଲିସ ଏକ ବଡ଼ଧରଣର ଜାଲ ନୋଟ୍ ରାକେଟ ଠାବ କରିଥିଲା। ସେମାନଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ କରା ଯାଇଥିଲା।